କୋଟିଆ ବିବାଦରେ ଧରାପଡ଼ିଲା ଆନ୍ଧ୍ରର ମିଛ
ପଟାଙ୍ଗୀ : ଧରାପଡ଼ିଲା ଆନ୍ଧ୍ରର ମିଛ । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଟଣାଓଟରା ବେଳେ ଆସିଲା ରୋଚକ ଖବର । ଗତ କିଛିଦିନ ତଳେ କୋରାପୁଟ ପୋଲିସ ଦୁଇ ଆନ୍ଧ୍ର ଏଜେଣ୍ଟଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ପରେ ଆନ୍ଧ୍ର ଶିବିରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଓଡ଼ିଶା ବିରୋଧୀ କାର୍ଯ୍ୟକଳାପ ଏବଂ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯିବା ଘଟଣା ଆନ୍ଧ୍ର ପାଇଁ ଶକ୍ତ ଝଟକା ସାଜିଥିଲା ।
ଏହାପରେ ଆନ୍ଧ୍ର ପାଇଁ କାମ କରୁଥିବା ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ଚାରିଜଣଙ୍କୁ କୋରାପୁଟ ପୋଲିସ ବୈଠକ ଥିବା କହି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କୋଟିଆର କିଛି ଆନ୍ଧ୍ର ସମର୍ଥକ ସାଲୁର ସ୍ଥିତ ରୁରାଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ କୋରାପୁଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଅଭିଯୋଗ ଅନୁସାରେ ଗଞ୍ଜେଇପଦର ଗାଁର ଆନ୍ଧ୍ରପ୍ରଦେଶର ପୂର୍ବତନ ସରପଞ୍ଚ ବିଶୁ ଗେମେଲ, ଜାନିଗୁଡ଼ାର ଡମୁ ଗେମେଲ, ଧୂଳିପଦରର ରାଜୁ ଶୋଡ଼ାପାଲି ଏବଂ ଫଗୁଣସିନେରୀର କୁନେଟି ବେତ୍ରୁ ନିଖୋଜ ଥିବା ନେଇ ଏତଲାରେ ଉଲ୍ଲେଖ ରହିଥିଲା ।
ତେବେ ଏହି ଘଟଣାରେ ନୂଆ ମୋଡ଼ ଆସିଛି । ଦୁଇଦିନ ପରେ କଥିତ ଭାବେ ନିଖୋଜ ଥିବା ଚାରିଜଣ କୋଟିଆ ସଦରମହକୁମାରେ ପହଞ୍ଚି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନେ ଆନ୍ଧ୍ରପ୍ରଦେଶର ସାଲୁର ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ବୋଲି କହିଛନ୍ତି । ଏଥିସହ ସେମାନଙ୍କ ନାମରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଆନ୍ଧ୍ର ଥାନାରେ ଏତଲା ଦେଇଛନ୍ତି ସେ ସମ୍ପର୍କରେ ସେମାନେ କିଛି ଜାଣିନଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ କିଛି ଅବଗତ ନଥିବା କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
