ବାଳ ଅପରାଧରେ ଚିନ୍ତାଜନକ ସ୍ଥିତିରେ ଓଡ଼ିଶା !
ଭୁବନେଶ୍ୱର : ବାଳ ଅପରାଧରେ ଜାତୀୟ ହାର ଠାରୁ ଆଗରେ ଓଡ଼ିଶା । ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗିନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତି । ବିଧାନସଭା ଓ NCRB ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ୨୯ ଜୁନ ୨୦୨୬ । ଭୁବନେଶ୍ୱର କୋଳଥିଆ ଛକରେ ବାପା ପୁଅଙ୍କୁ ହୋଇଥିଲା ବିଭତ୍ସ ହତ୍ୟା। ବାପା ହିମାଂଶୁ ପାଢ଼ୀ ଓ ପୁଅ କୃଷ୍ଣ ପାଢ଼ୀଙ୍କ ମର୍ଡର ପଛରେ ଥିଲେ ୨ ନାବାଳକ । ପ୍ରେମ ସମ୍ପର୍କ ଓ କମେଣ୍ଟମରାକୁ ନେଇ ଘଟିଥିଲା ଜଘନ୍ୟ କାଣ୍ଡ । ୭ ନଭେମ୍ବର ୨୦୨୬ । ଲକ୍ଷ୍ମୀସାଗର ଥାନା ସୋନୁ ନାୟକ ମର୍ଡର କେସରେ ପୋଲିସ ସର୍ଜମିନ ଯାଞ୍ଚ କରୁଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଭାବେ ଧରାପଡିଥିଲେ ନାବାଳକ । ତେବେ ଏହି ଗୋଟିଏ କିମ୍ବା ଦୁଇଟି କେସ ନୁହେଁ, ବିଧାନସଭା ରୁ ମିଳିଥିବା ତଥ୍ୟ ମୁତାବକ ୨୦୨୩ ରୁ ୨୦୨୫ ମଧ୍ୟରେ ୪ ହଜାର ୭୪୦ କେସରେ ବାଳ ଅପରାଧ ସମ୍ପର୍କିତ ନେଇ ରୁଜୁ ହୋଇଛି । ସାରା ଦେଶ ମଧ୍ୟରେ ବିହାରରେ ସର୍ବାଧିକ ବାଳ ଅପରାଧ ସମ୍ପର୍କିତ କେସ ରହିଛି। ତେବେ ଜୁଭେନାଇଲ କ୍ରାଇମର ଜାତୀୟ ହାର ୧୧.୨ ପ୍ରତିଶତ ଥିବା ବେଳେ ଓଡ଼ିଶାର ୭.୯ ପ୍ରତିଶତ ରହିଛି ।
ଲକ୍ଜରି ଲାଇଫଷ୍ଟାଇଲ ବଞ୍ଚିବା, ଦାମୀ ଗାଡି ଚଢ଼ିବା, ନିଶା ଖାଇବା ଓ ଫାଇଭ ଷ୍ଟାର ହୋଟେଲରେ ଅୟସ ଆରାମ କରିବା ନିଶା କୋମଳ ମତି ଛୁଆଙ୍କୁ କବଳିତ କରିଛି । ନାବାଳକ୍ ମାନଙ୍କୁ ଅପରାଧମୁକ୍ତ କରାଇବା ପାଇଁ ସରକାରଙ୍କ ପ୍ରୋତ୍ସାହନରେ ଅନେକ ଜୁଭେନାଇଲ ଜଷ୍ଟିସ ବୋର୍ଡ ଓ ଚାଇଲ୍ଡ ଲାଇନ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ରେ ବାଳ ସୁଧାର ଗୃହ ନଥିବାରୁ କମିଶନରେଟ ପୋଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରତି ମାସରେ ୨୦ ରୁ ଉର୍ଦ୍ଧ ବାଳ ଅପରାଧୀ ଭୁବନେଶ୍ୱର ୟୁପିଡିରୁ ଧରାପଡୁଥିବା ବେଳେ ସେମାନଙ୍କୁ ୨୦୦ କିଲୋମିଟର ଦୂର ବ୍ରହ୍ମପୁର କିମ୍ବା ଅନୁଗୁଳ ନେବାକୁ ପଡୁଛି । କେବଳ ଫିଜିକାଲ କ୍ରାଇମ ନୁହେଁ, ସାଇବର କ୍ରାଇମରେ ମଧ୍ୟ ସମାନ ସମସ୍ୟା । ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର ଡାଟା ମୁତାବକ ଡିଜିଟାଲ କ୍ରାଇମରେ ବି ବଢୁଛି ଜୁଭେନାଇଲଙ୍କ ସମ୍ପୃକ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
