କାହିଁକି ମୃତ୍ୟୁ ମୁଖରେ ପଡୁଛନ୍ତି ଓଡ଼ିଶା ଲୋକେ। ସେ କାରଣ କେହି ଜାଣି ପାରୁନାହାନ୍ତି
ନନ୍ଦିଘୋଷ ବ୍ୟୁରୋ : ମୃତ୍ୟୁର କାରଣ ଜାଣି ପାରୁନାହାନ୍ତି ପରିବାର ଲୋକ। ପ୍ରତିବର୍ଷ ଯେତିକି ଲୋକଙ୍କ ଜୀବନ ଯାଉଛି, ସେଥିରୁ ୮୦% ମୃତ୍ୟୁର ଜଣାପଡୁନି କାରଣ। କେବଳ ୨୦ % ମୃତ୍ୟୁର ହୋଇପାରୁଛି ଡାକ୍ତରୀ ପ୍ରମାଣପତ୍ର। ବାସ୍ତବରେ ହଜାର ହଜାର ଲୋକଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହେଉଛି, ତାହା କେହି ଜାଣନ୍ତି ନାହିଁ। ସରକାର ମଧ୍ୟ ମୃତ୍ୟୁର କାରଣ ଜାଣିବାକୁ ଇଚ୍ଛୁକ ନୁହନ୍ତି। ଦେଶର ଛୋଟ ଛୋଟ ରାଜ୍ୟ ଡାକ୍ତରୀ ପ୍ରମାଣପତ୍ର ଜାରି କରିବାରେ ଆଗରେ ଥିବା ବେଳେ, ବହୁ ପଛରେ ପଡ଼ିଛି ଓଡ଼ିଶା। ତେଣୁ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ରୋଗ ବଢୁଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ ବୋଲି ଏବେ ଡାକ୍ତରୀ ମହଲରେ ଆଲୋଚନା ହେଲାଣି। ୨୦୨୪ ଜାନୁଆରୀ ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶ ତଥା ବିଭିନ୍ନ ରାଜ୍ୟରେ ହୋଇଥିବା ମୃତ୍ୟୁକୁ ଆଧାର କରି ଜାରି ହୋଇଛି ଏମ୍ସିସିଡି ତାଲିକା। ଯେଉଁଥିରେ ୨୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୪ରେ ଓଡ଼ିଶାରେ ୪ ଲକ୍ଷ ୧୫ ହଜାର ୫୩୧ ଜଣଙ୍କ ମୃତ୍ୟୁର ରେକର୍ଡ ହୋଇଛି। ସେଥିରୁ ୮୪ ହଜାର ୫୬୨ ଜଣ ମୃତକଙ୍କୁ ମିଳିଛି ଡାକ୍ତରୀ ପ୍ରମାଣପତ୍ର। ଯେଉଁଥିରେ ୫୦ ହଜାର ୭୦୮ ଜଣ ପୁରୁଷ ଓ ୩୩ ହଜାର ୮୫୪ ଜଣ ମହିଳା ଅଛନ୍ତି।
ଏମ୍ସିସିଡି ହୋଇ ପାରୁଥିବା ମୃତକଙ୍କ ଭିତରେ ୨୮.୨% ହେଉଛି ହୃଦ୍ଜନିତ ରୋଗ। ସେହିପରି ଶ୍ଵାସଜନିତ ରୋଗ ୮.୯% ଥିବା ବେଳେ, ପାରାସାଇଟ୍ ସଂକ୍ରମଣ ୮.୪%, ଅସ୍ଵାଭାବିକ ଲାବୋରେଟୋରିରେ ଚିହ୍ନଟ ରୋଗରେ ମୃତ୍ୟୁ ହାର ହେଉଛି ୧୭.୮%। ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି, ସେଥିରୁ ୩୦% ମେଡିକାଲରେ ହେଉଥିବା ବେଳେ, ୭୦% ଘରେ ହେଉଛି। ସେହିପରି ହୃଦଘାତ ଜନତି ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ଘରେ ହେଉଥିବା ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନା ଏହାର ସମାଧାନ ପାଇଁ ପୂର୍ବରୁ ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀ, ଆୟୁଷ ଡାକ୍ତର ଓ ମେଡିକାଲ ଅଫିସରଙ୍କ ଜରିଆରେ ଏମ୍ସିସିଡି କରିବା ଲାଗି ନିଷ୍ପତ୍ତ ନେଇଥିଲେ। ୨୧ ଦିନ ଭିତରେ ମୃତକଙ୍କ ସଂପର୍କୀୟ ଏଥିପାଇଁ ଆବେଦନ କରିପାରିବେ। ମାତ୍ର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ଲୋକଙ୍କୁ ମିଳିପାରୁନି ଡାକ୍ତରୀ ପ୍ରମାଣପତ୍ର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
