ଇସ୍ରୋର ଆଉ ଏକ ବଡ଼ ସଫଳତା…
() ଇସ୍ରୋର ଆଉ ଏକ ସଫଳତା। GSLV- F 18 ରକେଟର ସଫଳ ଉତକ୍ଷେପଣ। କକ୍ଷପଥରେ ଅବସ୍ଥାପିତ ହୋଇଛି ସାଟେଲାଇଟ NVS 03। ଏହା ସହିତ ଭାରତର ନିଜସ୍ଵ GPS ଦିଗରେ ଆଉ ଏକ ପାଦ ବଢ଼ିଛି। ନିଜସ୍ୱ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍’ (NavIC)କୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। NVS 03 ହେଉଛି ଇସ୍ରୋର ନୂତନ ପିଢ଼ିର ନେଭିଗେସନ ଉପଗ୍ରହ ବ୍ୟବସ୍ଥାର ତୃତୀୟ ଉପଗ୍ରହ। IRNSS ଶୃଙ୍ଖଳା ଅଧୀନରେ ନେଭିଗେସନ ନିରନ୍ତରତା ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉପଗ୍ରହରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଟୋମିକ୍ କ୍ଲକ୍ ସହିତ ବିଦେଶରୁ ସଂଗ୍ରହ କରାଯାଇଥିବା ଆଟୋମିକ୍ କ୍ଲକ୍ ମଧ୍ୟ ରହିଛି। ଏଥିରେ ପୂର୍ବରୁ ଥିବା L5 ଏବଂ S-ବ୍ୟାଣ୍ଡ୍ ସିଗ୍ନାଲ୍ ସହିତ ନୂତନ L1 ସିଗ୍ନାଲ୍କୁ ମଧ୍ୟ ସାମିଲ କରାଯାଇଛି। ଏହା ପୂରା ଭାରତର ଭୂ-ରାଜନୈତିକ ସୀମାରୁ ପ୍ରାୟ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ କଭର୍ କରିବ। ଭାରତର ନିଜସ୍ୱ GPS ବ୍ୟବସ୍ଥାକୁ ମିଳିବ ନୂଆ ଶକ୍ତି। ଉପଗ୍ରହ ଆଧାରିତ ନେଭିଗେସନ ବ୍ୟବସ୍ଥା ନାଗରିକ, ବାଣିଜ୍ୟିକ ଏବଂ ସାମରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଭାରତ ନିଜର ସ୍ୱାଧୀନ ଅବସ୍ଥିତି ନିର୍ଣ୍ଣୟ, ନାଭିଗେସନ୍ ଏବଂ ସମୟ ନିର୍ଦ୍ଧାରଣ କ୍ଷମତାକୁ ମଜବୁତ କରିବାକୁ ଉଦ୍ୟମ କରୁଛି। ଏହି ଦୃଷ୍ଟିରୁ ଏହି ମିଶନ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଇସ୍ରୋ ଗତ ରାତି ୧୧ଟା ୫୧ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚପ୍ୟାଡ୍ରୁ GSLV-F 18 ରକେଟ ଉତକ୍ଷେପଣ କରିଥିଲା।
ଭାରତର ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (GSLV)ର ଏହା ଥିଲା ବିଂଶ ଉଡ଼ାଣ। ୨୨୫୦ କିଲୋଗ୍ରାମ ଓଜନର ଏହି ଉପଗ୍ରହକୁ ରକେଟ୍ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟରେ ଅବସ୍ଥାପିତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
