ଏକାକୀ ବିମାନଟାଣି ରେକର୍ଡ
ବୁଲଗେରିଆର ଆଥଲେଟ୍ କ୍ରିଷ୍ଟୋ ମୋସ୍କୋଭ୍ ଏକ ଏୟାରବସ୍ ଏ୩୨୦ ବିମାନକୁ ୨୦ ମିଟର ଦୂରତା ପର୍ଯ୍ୟନ୍ତ ଟାଣି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରାୟ ୪୫ ଟନ୍ (୪୪,୪୬୦ କିଗ୍ରା) ଓଜନ ବିଶିଷ୍ଟ ଏହି ବିମାନଟିକୁ ସେ ମାତ୍ର ୨୩.୨୫ ସେକେଣ୍ଡରେ ଟାଣି ଏହି ସଫଳତା ହାସଲ କରିଛନ୍ତି । ଯାହା ସମାନ ମଡେଲର ବିମାନ ଟାଣିବାର ପୂର୍ବ ରେକର୍ଡଠାରୁ ଅଧିକ ଦ୍ରୁତ ଥିଲା । ଏହି ରେକର୍ଡ ସ୍ଥାପନ କରିବା ପାଇଁ ମୋସ୍କୋଭ୍ଙ୍କୁ ୩୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୨୦ ମିଟର ବିମାନ ଟାଣିବାକୁ ପଡ଼ିଥିଲା । ଏହାପୂର୍ବରୁ ଏହି ରେକର୍ଡ ବ୍ରିଟିଶ ଆଥଲେଟ୍ ମାର୍କ ଜିନ୍ସଙ୍କ ନାମରେ ଥିଲା । ଯିଏ ଫେବୃଆରୀ ୨୮, ୨୦୨୧ରେ ସମାନ ମଡେଲର ବିମାନକୁ ୩୧.୩ ସେକେଣ୍ଡରେ ଟାଣିଥିଲେ । ଜଣେ ଆଥଲେଟ୍ ଭାବରେ ୨୦ ବର୍ଷର ଅଭିଜ୍ଞତା ରଖିଥିବା ମୋସ୍କୋଭ୍ ଷ୍ଟ୍ରଙ୍ଗମ୍ୟାନ୍ ପ୍ରତିଯୋଗିତାରେ ଅନେକ ବିଶ୍ୱ ଏବଂ ୟୁରୋପୀୟ ଚାମ୍ପିୟନଶିପ୍ ଜିତିସାରିଛନ୍ତି । ତାଙ୍କୁ ବୁଲଗେରିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ଏହା ପୂର୍ବରୁ ୨୦୨୫ ମସିହା ନଭେମ୍ବର ୪ ତାରିଖରେ ସେ ପ୍ରାୟ ୪୦ ଟନ୍ ଓଜନର ଏକ ବୁଲଗେରିଆ ଏୟାରବସ୍ ଏ୨୨୦ ବିମାନକୁ ୨୫ ମିଟର ଦୂରତା ପର୍ଯ୍ୟନ୍ତ ଟାଣିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
