ଇଣ୍ଡୋନେସିଆରେ ୨୪୩ ଯାତ୍ରୀଙ୍କୁ ନେଇ ଜାହାଜ ନିଖୋଜ; ୬ ମୃତ, ୯୭ ଉଦ୍ଧାର…
ନନ୍ଦିଘୋଷ ବ୍ୟୁରୋ : ଇଣ୍ଡୋନେସିଆର ଜାଭା ସାଗରରେ ଏକ ଯାତ୍ରୀବାହୀ ଫେରି ଜାହାଜ ନିଖୋଜ ହୋଇଯାଇଛି। ଖରାପ ପାଗ ମଧ୍ୟରେ ଜାହାଜଟି ସମୁଦ୍ରରେ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ଜାହାଜରେ ମୋଟ ୨୪୩ ଜଣ ଥିବା ବେଳେ ଏପର୍ଯ୍ୟନ୍ତ ୯୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଭିର୍ଗୋ ଟ୍ରାନ୍ସପୋର୍ଟ ୮ ନାମକ ଜାହାଜଟି ଶନିବାର ସକାଳ ୧୦ଟା ୩୩ ମିନିଟ୍ରେ ସୁରାବାୟାରୁ ବଞ୍ଜାରମାସିନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ରବିବାର ରାତି ପ୍ରାୟ ୨ଟାରେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେତେବେଳେ ଜାହାଜଟି ବଞ୍ଜାରମାସିନଠାରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣରେ ଥିଲା। ଖରାପ ପାଗ ଯୋଗୁଁ ଜାହାଜଟି ସମସ୍ୟାରେ ପଡ଼ିଥିବା ନେଇ ରବିବାର ସକାଳ ୪ଟା ୧୦ ମିନିଟ୍ରେ ଜାହାଜ ପରିଚାଳକଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିଥିଲା।
ଏହାପରେ ଇଣ୍ଡୋନେସିଆର ସନ୍ଧାନ ଓ ଉଦ୍ଧାର ସଂସ୍ଥା, ନୌସେନା, ସାମୁଦ୍ରିକ ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଭାବେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଘଟଣାସ୍ଥଳକୁ ଅନେକ ଜାହାଜ ଏବଂ ଏକ ହେଲିକପ୍ଟର ପଠାଯାଇଛି। ସମୁଦ୍ରରେ ଥିବା ଅନ୍ୟ ଜାହାଜଗୁଡ଼ିକୁ ମଧ୍ୟ ନିଖୋଜ ଯାତ୍ରୀଙ୍କ ସନ୍ଧାନରେ ସହଯୋଗ କରିବାକୁ କୁହାଯାଇଛି। ଏହାସହ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ବନ୍ଦର ଅଞ୍ଚଳରେ ଏକ ଅପରେସନ୍ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ଏପଟେ ନିଖୋଜ ଯାତ୍ରୀଙ୍କ ପରିବାର ଲୋକମାନେ ବନ୍ଦରରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସମ୍ପର୍କରେ ଖବର ନେଉଛନ୍ତି। ଜଣେ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଜାହାଜରେ ଥିବା ଜଣେ ସମ୍ପର୍କୀୟ ଶେଷ ଥର ପାଇଁ ସମୁଦ୍ରର ପ୍ରବଳ ତରଙ୍ଗ ନେଇ ହ୍ୱାଟ୍ସଆପ୍ରେ ଷ୍ଟାଟସ୍ ଦେଇଥିଲେ। ବର୍ତ୍ତମାନ ନିଖୋଜ ଯାତ୍ରୀଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ଉପରେ ଉଦ୍ଧାରକାରୀ ଦଳର ଫୋକସ୍ ରହିଛି। ଜାଭା ସାଗରରେ ଖରାପ ପାଗ ଉଦ୍ଧାର କାର୍ଯ୍ୟକୁ ଚ୍ୟାଲେଞ୍ଜିଂ କରୁଥିବା ବେଳେ ଅପରେସନ୍ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
