୬୦ ଦିନ, ୮୨ ଜଣଙ୍କ ସାକ୍ଷୀ ଓ ସିଧା ଡେଥ୍ ଓ୍ବାରେଣ୍ଟ, ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଫିଯୁକ୍ତକୁ ଫାଶୀ ଦଣ୍ଡ
ପୁଣେ,୨୯।୬: ମହାରାଷ୍ଟ୍ରର ପୁଣେରୁ ଆସିଛି ବଡ଼ ଖବର। ଏଠାର ଏକ ସ୍ପେଶାଲ କୋର୍ଟ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଳାରେ ୬୫ ବର୍ଷୀୟ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ନାଁ ଭୀମରାଓ କାମ୍ବଲେ ଏବଂ ଏହି ପୁରା ମାମଲାଟି ପୁଣେର ନାସରାପୁର ଗାଁରୁ ଆସିଛି। କୋର୍ଟ ଏହି ଅପରାଧକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିବା ସହ ଅଭିଯୁକ୍ତର ଉଦ୍ଦେଶ୍ୟ ଖରାପ ଥିଲା ବୋଲି କହିଛନ୍ତି। ଏହି କାରଣରୁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଉଛି। ସେପଟେ ଅନ୍ୟପକ୍ଷେ କୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶରଦ ପାୱାରଙ୍କ ଗୋଷ୍ଠୀର ଏନସିପି ସାଂସଦ ସୁପ୍ରିୟା ଗୁପ୍ତା କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
ଏହି ଘଟଣା ୧ ମଇ ୨୦୨୬ରେ ଘଟିଥିଲା। ଅଭିଯୁକ୍ତ ଭୀମରାଓ କାମ୍ବଲେ ୩ ବର୍ଷର ଝିଅକୁ ସ୍ନାକ୍ସ ଖାଇବାକୁ ଦେବା ସହ ବାଛୁରୀ ଦେଖାଇବାର ବାହାନାରେ ସାଙ୍ଗରେ ନେଇଯାଇଥିଲା। ସେ ଝିଅଟିକୁ ମଇଁଷି ରହୁଥିବା ଏକ ସେଡ୍କୁ ନେଇଯାଇଥିଲା। ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିବା ସହ ପରେ ତାକୁ ମାରି ଦେଇଥିଲା। ଏହି ଘଟଣା ସାମନାକୁ ଆସିବା ପରେ ମହାରାଷ୍ଟ୍ରରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁମ୍ବାଇ-ବେଙ୍ଗାଲୁର ହାଇଓ୍ବେକୁ ଉତ୍ୟକ୍ତ ଲୋକେ ଜାମ୍ କରିଦେଇଥିଲେ।
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଏହାକୁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟରେ ବିଚାର କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଘଟଣାର ମାତ୍ର ୬୦ ଦିନ ମଧ୍ୟରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅତିରିକ୍ତ ସେସନ୍ସ ଜଜ୍ ଏସ୍.ଆର୍. ସାଲୁଙ୍ଖେ ଭୀମରାଓ କାମ୍ବଲେଙ୍କୁ ଅପହରଣ, ଦୁଷ୍କର୍ମଏବଂ ହତ୍ୟାର ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ପୋକ୍ସୋ ଆଇନର ଅନେକ ଧାରା ଅନୁଯାୟୀ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।
ପୀଡିତ ପକ୍ଷରୁ ଓକିଲ ବିପୁଲ ଦୁଶିଂଙ୍ଗ କହିଛନ୍ତି, କୌଣସି ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରିବା ଓ ତାକୁ ଫାଶୀ ଦେବା ପାଇଁ ଯେଉଁ ସବୁ ଆଇନଗତ ମାନକ ଦରକାର, ତାହା ଏବେ ପୂର୍ଣ୍ଣ ହୋଇଛି। ଅପରାଧର ଢଙ୍ଗ ଖୁବ୍ ବର୍ବର ଥିଲା। ଏହା ‘ରେୟାରେଷ୍ଟ ଅଫ୍ ରେୟାର’ ମାମଲା। ସରକାରୀ ଓକିଲ ଅଜୟ ନିସାର କରିଛନ୍ତି, ଶିଶୁଟି ସହ ପ୍ରାୟ ୩୯ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଅତ୍ୟାଚାର ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ନାବାଳିକାର ଶରୀରରୁ ୧୮ଟି ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏହା ସହ ଦୁଷ୍କର୍ମ ବ୍ୟତୀତ ଶିଶୁଟିର ଶାରିରୀକ ଶୋଷଣ କରାଯାଇଛି। ଅଭିଯୁକ୍ତର ଡିଏନ୍ଏ ମଧ୍ୟ ଶିଶୁର ଶରୀରରୁ ମିଳିଛି। କୋର୍ଟରେ ସିସିଟିଭି ଫୁଟେଜ୍, ଡିଏନ୍ଏ ଯାଞ୍ଚ ଓ ମେଡିକାଲ ପ୍ରମାଣକୁ ଆଧାର କରାଯାଇଛି। ଏହି ମାମଲାରେ ମୋଟ ୮୨ଟି ସାକ୍ଷୀ ନିଜର ବୟାନ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି, ଅଭିଯୁକ୍ତ ପୂର୍ବରୁ ବି ବହୁବାର ଏଭଳି ଅପରାଧ କରିସାରିଛି। ସେ ନିଜକୁ ସୁଧାରି ପାରିନି, ଆଗକୁ ବି ସମ୍ଭାବନା ନାହିଁ। ତେଣୁ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରିଛନ୍ତି।