୩୩ ବର୍ଷ ପରେ ଜନ୍ତର ମନ୍ତରରୁ ହଟିଲା ବ୍ୟାରିକେଡ୍, ସାଧାରଣ ଲୋକଙ୍କ ପାଇଁ ଖୋଲିଲା ରାସ୍ତା
ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ୩୩ ବର୍ଷ ପରେ ବଦଳିଲା ଦିଲ୍ଲୀର ଜନ୍ତର ମନ୍ତରର ଚିତ୍ର ହଟିଲା ବ୍ୟାରିକେଡ୍, ଖୋଲିଲା ରାସ୍ତା। ଏଣିକି ସାଧାରଣ ଲୋକଙ୍କ ସହ ଯାନବାହନ ଚଳାଚଳ ପାଇଁ ଉପଲବ୍ଧ ହେବ ଏହି ରାସ୍ତା। ଦୀର୍ଘ ବର୍ଷ ଧରି ବିଭିନ୍ନ ଆନ୍ଦୋଳନ ଓ ପ୍ରତିବାଦର ମୁଖ୍ୟ କେନ୍ଦ୍ର ପାଲଟିଥିବା ଜନ୍ତର ମନ୍ତରରେ ଏବେ ଦେଖିବାକୁ ମିଳିବ ନୂଆ ପରିବର୍ତ୍ତନ।
୧୯୯୩ ମସିହାରୁ ଜନ୍ତର ମନ୍ତରକୁ ବିକ୍ଷୋଭ ଓ ଧାରଣା ପାଇଁ ଏକ ପ୍ରମୁଖ ସ୍ଥାନ ଭାବେ ବ୍ୟବହାର କରାଯାଉଥିଲା। ଦେଶର ବିଭିନ୍ନ ରାଜ୍ୟରୁ କୃଷକ, ଶ୍ରମିକ, କର୍ମଚାରୀ, ସାମାଜିକ ସଂଗଠନ ଓ ରାଜନୈତିକ ଦଳ ନିଜ ଦାବି ନେଇ ଏଠାରେ ଆନ୍ଦୋଳନ କରୁଥିଲେ। କିନ୍ତୁ ଏବେ ଏହି ପରମ୍ପରାରେ ପରିବର୍ତ୍ତନ ଆସିଛି। ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରକୁ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନ ତାଲିକାରୁ ହଟାଇ ଦେଇଥିଲା। ଏହା ବଦଳରେ ଧାରଣା ଓ ପ୍ରତିବାଦ ପାଇଁ ତିନୋଟି ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ଦିଲ୍ଲୀର ରାମଲୀଳା ମୈଦାନ, ଉତ୍ତର ଦିଲ୍ଲୀର ବୁରାଡ଼ି ଗ୍ରାଉଣ୍ଡ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡ।
ଏହି ନିଷ୍ପତ୍ତି ପରେ ଜନ୍ତର ମନ୍ତରରେ ଥିବା ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହଟାଯାଉଛି। ପୂର୍ବରୁ ଏଠାରେ ବ୍ୟାରିକେଡ୍ ସହ ପୋଲିସ, ଅର୍ଦ୍ଧସାମରିକ ବାହିନୀ, କ୍ୱିକ୍ ରିଆକ୍ସନ୍ ଟିମ୍ ଏବଂ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ମୁତୟନ ରହୁଥିଲା। ଏବେ ଏହି ସୁରକ୍ଷା ବଳୟକୁ ହଟାଇ ରାସ୍ତାକୁ ସ୍ୱାଭାବିକ ଯାତାୟାତ ପାଇଁ ଖୋଲାଯାଇଛି। ତେବେ ଏହି ପରିବର୍ତ୍ତନ ପଛରେ ସାମ୍ପ୍ରତିକ ଏକ ବିକ୍ଷୋଭକୁ ନେଇ ବିବାଦ ମଧ୍ୟ ରହିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କକରୋଚ୍ ଜନତା ପାର୍ଟି (CJP) ସମେତ କିଛି ସଂଗଠନ ଜନ୍ତର ମନ୍ତରରେ ପ୍ରତିବାଦ କରିବାକୁ ଚାହିଁଥିଲେ। ଏହାକୁ ନେଇ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା।
ତେବେ ଜନ୍ତର ମନ୍ତରରୁ ବ୍ୟାରିକେଡ୍ ହଟିବା ପରେ ସାଧାରଣ ଲୋକ ଓ ଯାନବାହନ ଚାଳକଙ୍କୁ ଯାତାୟାତରେ ଆଶ୍ୱସ୍ତି ମିଳିବ। ଅନ୍ୟପଟେ ଦୀର୍ଘ ୩୩ ବର୍ଷ ଧରି ଦେଶର ଆନ୍ଦୋଳନ ଓ ପ୍ରତିବାଦର ମୁଖ୍ୟ ପରିଚୟ ପାଲଟିଥିବା ଜନ୍ତର ମନ୍ତରର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
