୧୪ ବର୍ଷ ବୟସରେ ଏଆଇ ଷ୍ଟାର୍ଟଅପ

Jul 11, 2026 - 15:55
୧୪ ବର୍ଷ ବୟସରେ ଏଆଇ ଷ୍ଟାର୍ଟଅପ

 

ମାତ୍ର ୧୪ ବର୍ଷ ବୟସରେ, ଯେତେବେଳେ ପିଲାମାନେ ପାଠପଢ଼ା ଓ ଖେଳକୁଦରେ ବ୍ୟସ୍ତ ଥାଆନ୍ତି, ସେତେବେଳେ ଜୈନମ୍ ଜୈନ ନିଜର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ଷ୍ଟାର୍ଟଅପ୍ ଗଢ଼ି ଚର୍ଚ୍ଚାକୁ ଆସିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫାର ୧୪୧ ତମ ମହଲାରେ ତାଙ୍କ କମ୍ପାନୀର ଅଫିସ୍ ରହିଛି । ଜୈନମ୍ ମେଙ୍ଗୋ ଇଞ୍ଜିନ’  ନାମକ ଏକ ଏଆଇ ପ୍ଲାଟଫର୍ମ ତିଆରି କରିଛନ୍ତି, ଯାହା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମାର୍କେଟିଂ ଓ ଗ୍ରାହକ ସେବା ଭଳି କାମ ସହଜ କରିବାରେ ସାହାଯ୍ୟ କରେ। ଜୈନମ୍ଙ୍କୁ ମାତ୍ର ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ତାଙ୍କୁ ଏକ ବ୍ୟବସାୟିକ ମିଟିଂକୁ ନେଇଯାଇଥିଲେ । ଯେଉଁଠାରୁ ତାଙ୍କର ବ୍ୟବସାୟ ପ୍ରତି ଆଗ୍ରହ ବଢ଼ିଥିଲା । ସେ କୌଣସି ପ୍ରାଥମିକ କୋର୍ସ ନକରି ନିଜେ ଇଣ୍ଟରନେଟ୍ ସାହାଯ୍ୟରେ ଏଆଇ ବିଷୟରେ ଶିଖିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ସେ ୧୦୫ ଦିନ ମଧ୍ୟରେ ଦଶମ ଶ୍ରେଣୀ ପାଠପଢ଼ା ଶେଷ କରି ନିଜ କମ୍ପାନୀ ଉପରେ ଧ୍ୟାନ ଦେଇଥିଲେ । ସେ ନିଜ ନାମରେ ଦୁଇଟି ପେଟେଣ୍ଟ ହାସଲ କରିବା ସହ ଟେଡ୍ଏକ୍ସରେ ଭାଷଣ ଦେଇଛନ୍ତି । ସେ ଏକ ବହି ଲେଖିଛନ୍ତି ଏବଂ ୟୁଟ୍ୟୁବ୍ରେ ତାଙ୍କର ୧ ଲକ୍ଷ ୪୫ ହଜାରରୁ ଅଧିକ ସବ୍ସ୍କ୍ରାଇବର ଅଛନ୍ତି । ସେ ୧୦ ବର୍ଷ ବୟସରୁ ୫୦-ଦିନର ଚ୍ୟାଲେଞ୍ଜସରିଜ୍ ମାଧ୍ୟମରେ ୫୦ଟି ବହି ପଢ଼ିବା, ୫୦ଟି ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗଦେବା ଓ ଭାରତରେ ପ୍ରାୟ ୬୦୦୦ କିଲୋମିଟର ଯାତ୍ରା କରି ବଡ଼ ବଡ଼ ବ୍ୟବସାୟୀଙ୍କୁ ଭେଟିବାର ଅନୁଭବ ହାସଲ କରିଛନ୍ତି । ଆଗକୁ ଏକ ବଡ଼ ୟୁନିକର୍ଣ୍ଣ ଟେକ୍ନୋଲୋଜି କମ୍ପାନୀ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜୈନମ୍ ପ୍ରମାଣ କରିଛନ୍ତି ଯେ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ବୟସ କେବେ ବି ପ୍ରତିବନ୍ଧକ ସାଜେ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।