ହତ୍ୟାକାଣ୍ଡର ୨୬ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ

କେନ୍ଦୁଝର : ପ୍ରେମିକ ର ଉନ୍ମତ୍ତ କାଣ୍ଡ । ପ୍ରଥମେ ପ୍ରେମ-ସନ୍ଦେହ ପରେ ବିଭତ୍ସ ହତ୍ୟା । ଘଟଣାର ୨୬ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମିକାର ଗଳିତ ମୃତଦେହ । ଏଭଳି ନାରକୀୟ କାଣ୍ଡ ଘଟିଛି ବଡବିଲ ଥାନା, ଝାଡ଼ଗାଁରରେ । ମୃତ ଯୁବତୀ ଜଣକ ହେଉଛନ୍ତି ଅନିତା ମହାକୁଡ ଏବଂ ଅଭିଯୁକ୍ତ ପ୍ରେମିକ ସଂଗ୍ରାମ ଆଲଦା । ଇଂଷ୍ଟାରେ ପ୍ରେମିକାର ଫଟୋ ଦେଖି ଛୁରୀ ଭୁସି ହତ୍ୟା କରିଥିଲା ସଂଗ୍ରାମ । ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିବା ସହ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଙ୍ଗଲରୁ ଗଳିତ ମୃତଦେହ (କଙ୍କାଳ) ଜବତ କରିଛି ବଡ଼ବିଲ ପୋଲିସ ।
ଘଟନାନୁସାରେ, ଅନିତା ମହାକୁଡ଼ଙ୍କ ସହ ବଡବିଲ ଥାନା, ଝାଡ଼ଗାଁର ସଂଗ୍ରାମ ଆଲଦାଙ୍କ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସଂଗ୍ରାମ ଅନିତାଙ୍କୁ ସବୁବେଳେ ସନ୍ଦେହ କରି ଝଗଡା କରୁଥିଲେ । ଏହି ସମୟରେ ଅନୀତାଙ୍କର ଏକ ଫୋଟୋ ସୋସିଆଲ ଆକାଉଣ୍ଟ ଇଂଷ୍ଟାଗ୍ରାମରେ ଦେଖିବାକୁ ପାଇଥିଲେ ସଂଗ୍ରାମ ।ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଜୋର ଧରିଥିଲା । ପରେ ଗତ ୧୧ ତାରିଖରୁ ଅନିତା ନିଖୋଜ ହୋଇଯାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଅନିତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ପକ୍ଷରୁ ୧୪ ତାରିଖରେ ନିଖୋଜ ରିପୋର୍ଟ ଦିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଏହି ସମୟରେ ଅନିତା ଏବଂ ସଂଗ୍ରାମଙ୍କ ସମ୍ପର୍କ ବିଷୟରେ ପରିବାର ଲୋକେ ପୋଲିସ କୁ ଜଣାଇଥିଲେ । ରବିବାର ପୂର୍ବାହ୍ନରେ ପୋଲିସ ସଂଗ୍ରାମଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଅନିତା ନିଖୋଜ ହେବା ପଛର ରହସ୍ୟ ଉନ୍ମୋଚିତ ହୋଇଥିଲା। ଅନିତାଙ୍କୁ ପ୍ରେମିକ ସଂଗ୍ରାମ ନିକଟସ୍ଥ ଜଙ୍ଗଲକୁ ଡାକିନେଇ ତଣ୍ଟିରେ ଛୁରି ଭୁସି ହତ୍ୟା କରି ସେଠାରେ ଛାଡ଼ି ଚାଲି ଆସିଥିଲେ। ରାତିରେ ମୃତଦେହକୁ ବାଇକ୍ ସମ୍ମୁଖରେ ରଖି ସେଠାରୁ ପ୍ରାୟ ୪ କି.ମି. ଦୂର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ କୋହ୍ଲରୋଇଦା ଜଙ୍ଗଲର ଉପର ପାଶର୍ବରେ ଥିବା ଏକ ଖାଲରେ ପୋତି ପତ୍ରରେ ଢାଙ୍କିଦେଇଥିଲେ। ଅନିତାଙ୍କ ଓଢ଼ଣି, ଚପଲ ଓ ଏକ ଛୋଟ ବାଲଟିକୁ ଅନ୍ୟ ଏକ ଖାଲରେ ପୋତିଦେଇଥିବା ସ୍ବୀକାର କରିଥିଲେ। ପୋଲିସ ଦୀର୍ଘ ୨୬ ଦିନ ପରେ ,ରବିବାର ବଡ଼ବିଲ ଥାନାରେ ହତ୍ୟା ମାମଲା(ନଂ. ୨୩୯/୨୦୨୬) ରୁଜୁ କରି ସଂଗ୍ରାମଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଯୁବକଙ୍କ ସହ ଅନିତାଙ୍କର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ଅନିତାଙ୍କୁ ଛୁରୀରେ ହତ୍ୟା କରିଥିବା ସଂଗ୍ରାମ କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।