ବନ୍ଧୁ
ବନ୍ଧୁତା ହେଉଛି ଜୀବନର ସବୁଠାରୁ ପବିତ୍ର, ସୁନ୍ଦର ଏବଂ ନିସ୍ୱାର୍ଥପର ସମ୍ପର୍କ, ଯାହା କୌଣସି ଜାତି, ଧର୍ମ, ବୟସ କିମ୍ବା ସୀମାରେ ବନ୍ଧା ନୁହେଁ । ମଣିଷ ଜନ୍ମ ପୂର୍ବରୁ ତାର ସବୁ ସମ୍ପର୍କ ଗଢା ହୋଇଥାଏ, ବନ୍ଧୁତ୍ବ ହେଉଛି ଏଭଳି ଏକ ସମ୍ପର୍କ ଯାହାକୁ ମଣିଷ ନିଜେ ନିଜ ପାଇଁ ବାଛି ଥାଏ । ତେଣୁ ସବୁଠାରୁ ସୁନ୍ଦର ସମ୍ପର୍କ ହୋଇଥାଏ ବନ୍ଧୁତା । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳିତ ହେଉଥିବା 'ଆନ୍ତର୍ଜାତୀୟ ବନ୍ଧୁତା ଦିବସ' ଏହି ଦିନଟିକୁ ଆହୁରି ମନୋରମ କରିଥାଏ । ଆମ ଜୀବନରେ ବନ୍ଧୁମାନଙ୍କର ଅତୁଳନୀୟ ଅବଦାନ ଓ ସ୍ଥାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସର ପାଳନ କରାଯାଇଥାଏ । ଜଣେ ସତ୍ୟ ଓ ସଚ୍ଚା ବନ୍ଧୁ କେବଳ ଖୁସିର ମୁହୂର୍ତ୍ତରେ ସାଥୀ ହୋଇନଥାଏ, ବରଂ ଜୀବନର କଠିନରୁ କଠିନ ସମୟ, ଦୁଃଖ, ହତାଶା ଏବଂ ସଂଘର୍ଷରେ ଆମ ହାତ ଧରି ଆଗକୁ ବଢ଼ିବାର ସାହସ ଦେଇଥାଏ । ରକ୍ତର ସମ୍ପର୍କ ନଥାଇ ମଧ୍ୟ ଯେଉଁ ମଣିଷଟି ଆମକୁ ବିନା ସର୍ତ୍ତରେ ବୁଝିପାରେ, ଆମର ଭୁଲକୁ ସୁଧାରି ସଠିକ୍ ବାଟ ଦେଖାଏ ଏବଂ ନିଜର ଭାବି ଆଦରି ନିଏ, ସିଏ ହିଁ ପ୍ରକୃତ ବନ୍ଧୁ । ଆଜିର ଏହି ଯାନ୍ତ୍ରିକ ଏବଂ ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ ସମୟରେ ପୁରୁଣା ସାଙ୍ଗମାନଙ୍କଠାରୁ ଦୂରେଇ ଯାଇଥାଉ, କିନ୍ତୁ ଏହି ଦିବସ ଆମକୁ ସେହି ଅଭୁଲା ଅତୀତ, ପିଲାଦିନର ମିଠା ସ୍ମୃତି, ସ୍କୁଲ୍-କଲେଜର ହସ-ଖୁସି ଏବଂ ସାଙ୍ଗମାନଙ୍କ ସହ ବିତାଇଥିବା ଅମୂଲ୍ୟ ସମୟକୁ ପୁଣି ଥରେ ମନେ ପକାଇଦିଏ । ଏହି ଦିନରେ ଯୁବପିଢ଼ି ପରସ୍ପରକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି, ଉପହାର ଦେଇ, ମିଠା ବାଣ୍ଟି ଏବଂ ଏକାଠି ସମୟ ବିତାଇ ପାଳନ କରନ୍ତି । ତେବେ କେବଳ ଗୋଟିଏ ଦିନର ପାଳନରେ ବନ୍ଧୁତା ସୀମିତ ନୁହେଁ, ବରଂ ଜୀବନର ପ୍ରତିଟି ମୋଡ଼ରେ ବନ୍ଧୁତାର ଏହି ପବିତ୍ର ଡୋରିକୁ ମଜବୁତ୍ ରଖିବା, ପରସ୍ପରକୁ ସମ୍ମାନ ଦେବା ଏବଂ ବିପଦ ସମୟରେ ସାଥୀ ହୋଇ ଛିଡ଼ା ହେବା ହିଁ ବନ୍ଧୁତା ଦିବସର ସତ୍ୟ ମହତ୍ତ୍ୱ। କେବଳ ଆଜିର ସମାଜ ନୁହେଁ କାହିଁ କେଉଁ ପୁରାତନ କାଳରୁ ଅନେକ ବନ୍ଧୁତାର କାହାଣୀ ଉଦାହରଣ ପାଲଟିଛି । ଏପରିକି ପୁରାଣରେ ମଧ୍ୟ ଏଭଳି ଅନେକ ବନ୍ଧୁତ୍ବର ଉଦାହରଣ ରହିଛି, ଯେପରି କୃଷ୍ଣ ସୁଦାମା ହେଉ କିମ୍ବା କର୍ଣ୍ଣ ଦୁର୍ଯ୍ୟୋଧନ। ସେମାନଙ୍କର ବନ୍ଧୁତ୍ବର ଉଦାହରଣ ଆଜିବି ସବୁ ସ୍ଥାନରେ ଦିଆଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।