ସରିଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା
ଭବାନୀପାଟଣା : ଆସ୍ଥା ଓ ପରମ୍ପରାର ମହାପର୍ବ। ଶାକ୍ତ ଉପାସନାର ପ୍ରମୁଖ ପୀଠ କଳାହାଣ୍ଡି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନର ଗର୍ଜନ ଭିତରେ ଭକ୍ତଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ୱରୀ। ସମ୍ପନ୍ନ ହେଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣାରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର। ଘୁମୁରାର ତାଳେ ତାଳେ ମାଙ୍କ ଆଗମନ । ଭୋରରୁ ଭକ୍ତିମୟ ହୋଇଥିଲା ପରିବେଶ। ପରମ୍ପରା ଅନୁଯାୟୀ, ମହାଷ୍ଟମୀର ରୀତିନୀତି ପରେ ମାଁଙ୍କ ବିଜୟ ପ୍ରତିମା ଛତରଙ୍କୁ ଫାଶୀଡଙ୍ଗରରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ରୀତିନୀତି ତନ୍ତ୍ର ବିଧି ପରେ ଆଜି ନବମୀ ତିଥିର ପ୍ରତ୍ୟୁଷରୁ ମାଙ୍କ ମନ୍ଦିର ବାହୁଡ଼ା ଯାତ୍ରା ହୋଇଥିଲା।
ଜେନାଖାଲରୁ ଭୋର୍ ୫ଟାରେ ମନ୍ଦିର ଅଭିମୁଖେ ବାହାରିଥିଲା ମାଁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର। ଜେନା ବାଦ୍ୟ ଓ ବୀରବାଦ୍ୟ ଘୁମୁରା ତାଳେ ତାଳେ ମାଆଙ୍କୁ ପାଛୋଟି ନେଇଥିଲେ ଶ୍ରଦ୍ଧାଳୁ । ମାଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମାଙ୍କୁ ସ୍ୱାଗତ କରିଥିଲେ। ମାନସିକଧାରୀଙ୍କ ପଶୁ ବଳିରେ ରକ୍ତରଞ୍ଚିତ ହେଲା ଜେନାଖାଲ। ବୋଦା, ଛେଳି ଓ କୁକୁଡ଼ା ବଳିରେ ରକ୍ତରଞ୍ଜିତ ହେଲା ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା। ନିର୍ଦ୍ଧାରିତ ସମୟର ପ୍ରାୟ ୪ଘଣ୍ଟା ପୂର୍ବରୁ ଛତର ମନ୍ଦିର ଭିତରକୁ ପ୍ରବେଶ କରିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୫ଟି ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଥିଲା । ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ପନ୍ନ ହୋଇଛି ମାଁ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରା।
ଏହି ମହାପର୍ବରେ ପଶୁବଳିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରମ୍ପରାର ସୁରକ୍ଷା ଓ ସମୟ ସହ ପରିବର୍ତ୍ତନ ଭିତରେ ସମନ୍ୱୟ କେବେ ହେବ, ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
