ସଫା ହୋଇନାହିଁ ଘୋଡ଼ାହାଡ଼ ଡ୍ୟାମ ଶାଖା କେନାଲ: ଖରିଫ ଚାଷ ପାଇଁ ମିଳୁନି ପାଣି, ଆନ୍ଦୋଳନ ପାଇଁ…
ଦିଗପହଣ୍ଡି, ,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଡ୍ୟାମର ମୁଖ୍ୟ କେନାଲ ସଫା କରାଯାଇଥିଲେ ମଧ୍ୟ ଶାଖା କେନାଲଗୁଡ଼ିକ ସଠିକ୍ ଭାବେ ସଫା କରାଯାଇନଥିବାରୁ ଖରିଫ ଧାନ ଚାଷ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପାଣି ମିଳିପାରୁନାହିଁ।
ଗତ ୨୪ ତାରିଖରୁ ଡ୍ୟାମରୁ ଖରିଫ ଧାନ ଚାଷ ନିମନ୍ତେ କେନାଲ ଯୋଗେ ପାଣି ଛଡ଼ାଯାଇଥିଲା। କିନ୍ତୁ ଶାଖା କେନାଲ ଗୁଡ଼ିକରେ ଜମି ରହିଥିବା ଘାସ, ଲତା, ଅଳିଆ, ଆବର୍ଜନା ଏବଂ ହିଡ ମାଟି ପାଣିର ପ୍ରବାହକୁ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ କରୁଛି। ତଳ ମୁଣ୍ଡକୁ ପାଣି ପ୍ରବାହିତ ନହେବା ଏବଂ କେନାଲ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଥିବାରୁ ମୁଖ୍ୟ କେନାଲରେ ମଧ୍ୟ କମ୍ ପରିମାଣରେ ପାଣି ଛଡ଼ାଯାଉଛି।
ଚଳିତ ବର୍ଷ ଘୋଡାହାଡ଼ ଶୀର୍ଷ କମିଟି ଅଧୀନ ପାଣି ପଞ୍ଚାୟତଗୁଡ଼ିକୁ ଶାଖା କେନାଲ ସଫା କରିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ କୌଣସି ଅନୁଦାନ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ ଠିକା କାମ ପାଇଁ ଅର୍ଥ ମଞ୍ଜୁର ହେଉଥିବା ବେଳେ ଚାଷୀଙ୍କ ଜମି ଜଳସେଚିତ ହେବାକୁ ଥିବା ଶାଖା କେନାଲ ସଫେଇ ପାଇଁ ଅନୁଦାନ ନ ମିଳିବା ଦୁଃଖଦାୟକ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। କେନାଲରେ ପାଣି ଆସିବ ବୋଲି ଭରସା କରି ଚାଷ କାମ ଆରମ୍ଭ କରିଥିବା ଚାଷୀମାନେ ଶେଷ ମୁଣ୍ଡକୁ ପାଣି ନ ପହଞ୍ଚିବାରୁ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି।
କେନାଲ ସଫେଇ କାମ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ବିଳମ୍ବ ଘଟିଛି। ପ୍ରଥମ ଟେଣ୍ଡରରେ ଅନେକ ଠିକାଦାର କମ୍ ଦରରେ କାମ କରିବାକୁ ଆଗ୍ରହ ଦେଖାଇଥିଲେ ମଧ୍ୟ ଜଳସେଚନ ବିଭାଗ ପୁନଃ ଟେଣ୍ଡର କରିବାରୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା। ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼ କହିଛନ୍ତି ଯେ, ସମୟୋଚିତ ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି ଚାଷୀମାନଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଯଦି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆ ନଯାଏ, ତେବେ ଖୁବ୍ ଶୀଘ୍ର ବୃହତ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ କହିଛନ୍ତି ଯେ, ପ୍ରାୟ ଦୁଇ ମାସ ପୂର୍ବେ ଶାଖା କେନାଲ ସଫେଇ ଓ ମରାମତି ପାଇଁ ଟେଣ୍ଡର କରାଯାଇଥିଲା। କିନ୍ତୁ ଅତ୍ୟଧିକ କମ୍ ଦର (ଲେସ) ଟେଣ୍ଡର ଯୋଗୁ ଅନିୟମିତତା ଆଶଙ୍କାରେ ଠିକାଦାରମାନଙ୍କୁ ନୋଟିସ ଦିଆଯାଇ ପୁନର୍ବାର ଟେଣ୍ଡର ଅଣାଯାଇଥିଲା, ଯେଉଁଥିରେ ୭୦ରୁ ଅଧିକ ଠିକାଦାର ଭାଗ ନେଇଥିଲେ। ବୈଷୟିକ ସମସ୍ୟା ଯୋଗୁଁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଘଟିଛି। ତଥାପି ବିଭାଗ ପକ୍ଷରୁ ଅର୍ଦ୍ଧାଧିକ ଶାଖା କେନାଲ ସଫା କରାଯାଇ ପାଣି ଛଡ଼ାଯାଇଛି ଏବଂ ଆଗାମୀ ଗୋଟିଏ ଦିନ କିମ୍ବା ଦୁଇ ଦିନ ମଧ୍ୟରେ ବଳକା କେନାଲଗୁଡ଼ିକ ମଧ୍ୟ ସଫା ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।