କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମୟରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ‘ରାଜସ୍ଥାନ ରୟାଲ୍ସ’ (RR) ରୁ ଜଡେଜା ଏବଂ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ ଖେଳାଳି ଏକ ରାପିଡ୍ ଫାୟାର୍ ରାଉଣ୍ଡରେ କିଛି ମଜାଦାର ପ୍ରଶ୍ନର ଉତ୍ତର ଦେଉଥିବା ନଜର ଆସିଛନ୍ତି।
ଏହି ସେସନରେ ଉଭୟଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେମାନଙ୍କୁ କେଉଁ ବୋଲରଙ୍କୁ ସାମ୍ନା କରିବାକୁ ଡର ଲାଗେ? ଏହାର ଜବାବରେ ରବୀନ୍ଦ୍ର ଜାଡେଜା ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ପିଡ୍ ଷ୍ଟାର ଜୋଫ୍ରା ଆର୍ଚରଙ୍କ ନାମ ନେଇଥିଲେ। ସେହିପରି ଯେତେବେଳେ ଏହି ପ୍ରଶ୍ନ ବୈଭବ ସୂର୍ଯ୍ୟବଂଶୀଙ୍କୁ ପଚରାଗଲା, ସେ ନିର୍ଭୟରେ ଉତ୍ତର ଦେଇଥିଲେ ଯେ ତାଙ୍କୁ କୌଣସି ବୋଲରଙ୍କୁ ଡର ଲାଗେ ନାହିଁ। ବୈଭବଙ୍କ ଏହି ଆତ୍ମବିଶ୍ୱାସକୁ ଆହୁରି ମଜାଦାର କରି ଜାଡେଜା ତଙ୍ଗ କରୁକରୁ କହିଥିଲେ ଯେ ଆଜିଯାଏ ବଜାରରେ ଏପରି କେହି ବୋଲର ଆସିନାହାନ୍ତି।
ର୍ୟାପିଡ୍ ଫାୟାର୍ ସମୟରେ ଉଭୟଙ୍କୁ ସେମାନଙ୍କ ବ୍ୟାଟିଂ ଶୈଳୀ ବିଷୟରେ ମଧ୍ୟ ପଚରାଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂ ପସନ୍ଦ ବିଷୟରେ କହିବାକୁ ଯାଇ ଫିୟରଲେସ୍ ବା ନିର୍ଭୟ ଅନ୍ଦାଜକୁ ପସନ୍ଦ କରନ୍ତି ବୋଲି ପ୍ରକାଶ କରିଥିଲେ। ବୈଭବଙ୍କ ଏହି ନିର୍ଭୟ ବ୍ୟାଟିଂ ଆଇପିଏଲ୍ ଠାରୁ ଆରମ୍ଭ କରି ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ନିକଟରେ ଜିମ୍ବାୱେ ବିପକ୍ଷରେ ଶେଷ ହୋଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ସେ ସର୍ବାଧିକ ୧୫୧ ରନ୍ ସଂଗ୍ରହ କରି ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ, ରବୀନ୍ଦ୍ର ଜାଡେଜା ନିଜ ବ୍ୟାଟିଂରେ ପରିପକ୍ୱତା ବା ମ୍ୟାଚ୍ୟୁରିଟି ରଖିବାକୁ ଅଧିକ ପସନ୍ଦ କରନ୍ତି ବୋଲି କହିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।