ଶ୍ରୀମନ୍ଦିରରେ ଆଜି ଜନ୍ମାଷ୍ଟମୀ, ନିଷ୍ଠାର ସହ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମନୀତି
ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ପାଳିତ ହେବ। ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବେଶ୍ ନିଷ୍ଠାର ସହ ପାଳନ କରାଯିବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି, କାଳୀୟ ଦଳନ ଭଳି ଅନେକ ନୀତି ସହ କଂସ ବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।
ପରମ୍ପରା ଅନୁସାରେ, ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ। ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ବିଜେ କରାଯିବ।
ପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଭାବେ ଏହି ଜନ୍ମନୀତି ପାଳନ କରିବେ। ଏହାପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ। ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ। ତେବେ ଗତକାଲି ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିବା ବେଳେ ସୁଖପ୍ରସବ ପାଇଁ ଯେଉଟ ଭୋଗ ମଧ୍ୟ ଲାଗି କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
