ଶକ୍ତିଶାଳୀ ଭୂମିକମ୍ପରେ ଭେନେଜୁଏଲା ଧ୍ୱସ୍ତ, ୧୦ ହଜାର ମୃତ୍ୟୁ ଆଶଙ୍କା

କାରାକାସ : ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଧ୍ବଂସସ୍ତୁପରେ ପରିଣତ ହୋଇଛି ଭେନେଜୁଏଲା । ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨ ଏବଂ ପରବର୍ତ୍ତୀ ଭୂମିକମ୍ପ ୭.୭ ରହିଥିଲା । ଫଳରେ ଭେନେଜୁଏଲାର କାରାକାସ୍ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପରେ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଭୂକମ୍ପ ପରେ କାରିବିଆନ୍ ଦ୍ଵୀପରେ ସୁନାମୀ ଆଶଙ୍କା ଥିବାରୁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଏହା ଗତ ୧୨୬ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ସବୁଠାରୁ ବଡ଼ ଭୂକମ୍ପ ବୋଲି ଆକଳନ କରାଯାଉଛି ।
ବୁଧବାର ସନ୍ଧ୍ୟାରେ ଭେନେଜୁଏଲାରେ ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ ଥିଲା ଏବଂ ଏହାର ଗଭୀରତା ୧୩ କିଲୋମିଟର ଥିବା ଜଣାପଡିଛି । ଭୂମିକମ୍ପ ତୀବ୍ରତା ପଡୋଶୀ ଦେଶ କଲମ୍ବିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଭେନେଜୁଏଲାର ଗୃହମନ୍ତ୍ରୀ ଦିଓସଡାଡୋ କାବେୟୋ କହିଛନ୍ତି ଯେ କାରାକାସର ଆଲଟାମିରା ଅଞ୍ଚଳର ପରିସ୍ଥିତି ବହୁତ ଗମ୍ଭୀର ରହିଛି । ରାଜଧାନୀରେ ଅନେକ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ସାଇମନ୍ ବୋଲିଭାର୍ ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଭୂକମ୍ପ ପରେ ଦୁର୍ବଳ କୋଠାଗୁଡ଼ିକୁ ଆହୁରି କ୍ଷତି ପହଞ୍ଚାଇପାରେ । ତେଣୁ ଲୋକଙ୍କୁ ଘର ଭିତରକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି । ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହନ ପାଇଁ ରାସ୍ତା ଛାଡ଼ିବାକୁ ମଧ୍ୟ ଡ୍ରାଇଭରମାନଙ୍କୁ କୁହାଯାଇଛି । ଏବେ ପ୍ରଶାସନ ସ୍ଥିର ନିୟମ ମଧ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ଭୂକମ୍ପର ତୀବ୍ରତାକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହେବା ଆଶଙ୍କା କରାଯାଉଛି ।
ସେପଟେ ଭେନେଜୁଏଲା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି ମୋଦି କହିଛନ୍ତି । ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ଲୋକମାନଙ୍କୁ ଆତ୍ମବିଶ୍ଵାସର ସହ ବିପଦର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି । ଏଲ୍ ସାଲଭାଡୋରର ରାଷ୍ଟ୍ରପତି ନାୟିବ୍ ବୁକେଲେ କହିଛନ୍ତି ଯେ ତାଙ୍କ ଦେଶ ଏହି କଷ୍ଟକର ସମୟରେ ଭେନେଜୁଏଲା ଲୋକଙ୍କ ସହିତ ଠିଆ ହୋଇଛି।