ରହସ୍ୟମୟ ଗୁମ୍ଫା

Jun 29, 2026 - 13:58
ରହସ୍ୟମୟ ଗୁମ୍ଫା

 

ଅନେକ ସମୟରେ କାରଣ ନଜାଣି ଆମେ ଲୋକକଥା ଉପରେ ବିଶ୍ବାସ କରି ଭୟ କରିଥାଉ, ତେବେ ଏଭଳି ଭୟ କରିବା ଠିକ ନୁହେଁ ବୋଲି ଆଇମାଆର ଅନେକ କାହାଣୀରେ ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ । ସବୁବେଳେ ଦେଖିବା ପରେ ଯାଇ ଲୋକକଥାରେ ବିଶ୍ବାସ କରିବା ଆବଶ୍ୟକବୋଲି ଏହି ଗପମାନେ ଆମକୁ ଶିକ୍ଷା ଦେଇଥାଆନ୍ତି ।

 

ଗୋଟିଏ ଗ୍ରାମରେ ଥିବା ନିଛାଟିଆ ପାହାଡ଼ିଆ ଗୁମ୍ଫା ଭିତରୁ ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ମାତ୍ରେ ଅତି ଭୟାନକ "ହୁଁ... ହାଁ..." ଶବ୍ଦ ଶୁଣାଯାଇଥାଏ । ତେବେ ଏହି ଶବ୍ଦ କାରଣରୁ ଜଙ୍ଗଲର ସବୁ ଛୋଟ ଛୋଟ ପଶୁ ଯଥାକୁନି ହରିଣ, କୁନି ଠେକୁଆ ଓ ପକ୍ଷୀମାନେ ତାହାକୁ ଏକ ଅଭିଶପ୍ତ ଭୂତ ଗୁମ୍ଫା ଭାବି ସେହି ରାସ୍ତାରେ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ସେହି ଶବ୍ଦ ଶୁଣି ଭୟରେ ନିଜ ନିଜ ବସା ଭିତରେ ଲୁଚି ରହୁଥିଲେ। ଦିନେ ଜଙ୍ଗଲର ସବୁଠାରୁ ଚଞ୍ଚଳ ଓ ସାହସୀ କୁନି ମାଙ୍କଡ଼ 'ମିକୁ' ଏହି ଶବ୍ଦ ବିଷୟରେ ଜାଣିବାକୁ ଅଣ୍ଟା ଭିଡିଲା । ସେ  ନିଜ ସାଥୀମାନଙ୍କୁ ନଡରିବାକୁ କହି ଏକ ଲମ୍ବା ବାଡ଼ି ଓ ଜଳନ୍ତା ଜୁଳୁଜୁଳିଆ ପୋକର ଏକ ଛୋଟ ବାକ୍ସ ଧରି ଧୀରେ ଧୀରେ ସେହି ଅନ୍ଧାରୁଆ ଗୁମ୍ଫା ଭିତରକୁ ପାଦ ବଢ଼ାଇଥିଲା। ସେ ଗୁମ୍ଫା ଭିତରକୁ ଯେତିକି ଯେତିକି ଆଗକୁ ବଢ଼ୁଥିଲା, ସେହି ଭୟଙ୍କର ଶବ୍ଦ ସେତିକି ଜୋରରେ ଶୁଣାଯାଉଥିଲା ଏବଂ ମିକୁର ହୃଦସ୍ପନ୍ଦନ ମଧ୍ୟ ବଢ଼ିବାରେ ଲାଗିଥିଲା । ମାତ୍ର ସେ ପଛକୁ ନଫେରି ସାହସର ସହ ଗୁମ୍ଫାର ଶେଷ କୋଣରେ ପହଞ୍ଚି ନିଜ ଆଲୋକ ଦେଖାଇବା ପରେ ସେଠାକାର ଦୃଶ୍ୟ ଦେଖି ଭୟ କରିବା ବଦଳରେ ଜୋରରେ ହସିବାକୁ ଲାଗିଥିଲା। ପ୍ରକୃତରେ ସେଠାରେ କୌଣସି ଭୂତ ବା ପ୍ରେତାତ୍ମା ନଥିଲେ, ବରଂ ଜଙ୍ଗଲର ସବୁଠାରୁ ବଡ ଭାଲୁ ପ୍ରଚୁର ମହୁ ଖାଇ ନିଶ୍ଚିନ୍ତରେ ଗଭୀର ନିଦ୍ରାରେ ଶୋଇ ପ୍ରକାଣ୍ଡ ଘୁଙ୍ଗୁଡ଼ି ମାରୁଥିଲା । ଗୁମ୍ଫାର ପଥର କାନ୍ଥଗୁଡ଼ିକ ଗୋଲାକାର ହୋଇଥିବାରୁ ସେହି ଘୁଙ୍ଗୁଡ଼ି ଶବ୍ଦ ପ୍ରତିଧ୍ୱନିତ ହୋଇ ବାହାରକୁ ଏକ ଭୟଙ୍କର ରଡ଼ି ଭଳି ଶୁଣାଯାଉଥିଲା। ମିକୁ ତୁରନ୍ତ ବାହାରକୁ ଆସି ସମସ୍ତ କୁନି ପଶୁପକ୍ଷୀଙ୍କୁ ଏହି ମଜାଦାର ସତ୍ୟ ବିଷୟରେ ଜଣାଇବା ପରେ ସମସ୍ତଙ୍କ ମନରୁ ଭୟ ସବୁଦିନ ପାଇଁ ଚାଲିଯାଇଥିଲା । ସେମାନେ ପୁଣିଥରେ ସେହି ରାସ୍ତାରେ ଖେଳିବାକୁ ଲାଗିଲେ । ଏହି  କାହାଣୀଟି କୁନି ପିଲାମାନଙ୍କୁ ଏହି ମୂଲ୍ୟବାନ ଶିକ୍ଷା ଦେଉଛି ଯେ ଜୀବନରେ କୌଣସି ଅଜଣା ଜିନିଷ କିମ୍ବା ଗୁଜବକୁ ନେଇ ମନରେ କାଳ୍ପନିକ ଭୟ ରଖିବା ଆଦୌ ଉଚିତ ନୁହେଁ । ସାହସ, ଧୈର୍ଯ୍ୟ ଓ ବୁଦ୍ଧିର ସହ ସତ୍ୟତା ଜାଣିବାକୁ ଚେଷ୍ଟା କଲେ ସବୁଠାରୁ ବଡ଼ ଭୟ ମଧ୍ୟ ଏକ  ମଜାଦାର ବିଷୟରେ ପରିଣତ ହୋଇଯାଏ ।