ଲୁହା ରଡ଼ ରେ ପିଟି ଯୁବକଙ୍କୁ ହତ୍ୟା

Jun 29, 2026 - 14:20
ଲୁହା ରଡ଼ ରେ ପିଟି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ପୁଣି ଜଘନ୍ୟ ହତ୍ୟା । ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହା ରଡରେ ପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ପାଢ଼ୀ । ଖଣ୍ଡଗିରି ଥାନା ଠାରୁ ମାତ୍ର ୩ ଶହ ମିଟର ଦୂରରେ ଘଟିଛି ହତ୍ୟାକାଣ୍ଡ । କୃଷ୍ଣଚନ୍ଦ୍ର ଏମବିଏ ସାରି ବାପା ଏବଂ ଭଉଣୀଙ୍କ ସହ ସେଠାରେ ରହୁଥିଲେ । ତେବେ ଗତକାଲି ରାତିରେ ଦୁର୍ବୁତ୍ତ ମାନେ ଘରେ ପଶି ଲୁହା ରଡ଼ରେ ବାପା ଏବଂ ଭଉଣୀଙ୍କ ସହ କୃଷ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କ ବାପା ଓ ଭଉଣୀଙ୍କୁ ଏମ୍ସ ରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟା ଘଟିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।