ରଜ ସଜବାଜ

Jun 13, 2026 - 17:46
ରଜ ସଜବାଜ

 

ଓଡ଼ିଆ ଗଣଜୀବନ, ସଂସ୍କୃତି ଏବଂ ପରମ୍ପରାର ଅନନ୍ୟ ପ୍ରତୀକ ସାଜିଥିବା ରଜ ପର୍ବକେବଳ ଋତୁ ପରିବର୍ତ୍ତନର ବାର୍ତ୍ତା ବହନ କରେନାହିଁ, ବରଂ ଏହା ମାତୃତ୍ୱକୁ ସମ୍ମାନ ଜଣାଇବା ସହ ଓଡ଼ିଶାର କୁଆଁରୀ ଝିଅମାନଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ବାର୍ତ୍ତା ନେଇ ଆସିଥାଏ । ଏହି ତିନିଦିନିଆ ଗଣପର୍ବର ମୁଖ୍ୟ ଆକର୍ଷଣ ହେଉଛି ସଜବାଜ’, ଯାହାର ପ୍ରସ୍ତୁତି ପ୍ରକୃତ ପର୍ବ ଆରମ୍ଭ ହେବାର ପୂର୍ବ ଦିନ ଅର୍ଥାତ୍ ପହିଲି ରଜର ଠିକ୍ ପୂର୍ବରୁ ଆସୁଥିବା ସଜବାଜ ଦିବସଠାରୁ ହିଁ ବେଶ୍ ଧୂମଧାମରେ ଆରମ୍ଭ ହୋଇଯାଇଥାଏ । ଏହି ପ୍ରସ୍ତୁତି ଦିନ ଘରଦ୍ୱାର ସଫାସୁତୁରା କରିବା ସହ ଆଗାମୀ ତିନିଦିନ ପାଇଁ ଆବଶ୍ୟକ ହେଉଥିବା ପିଠାପଣାର ସମସ୍ତ ସାମଗ୍ରୀ ଯଥା- ଚାଉଳ ଗୁଣ୍ଡ, ନଡ଼ିଆ କୋରା, ଗୁଡ଼ ଓ ଘିଅ ଆଦି ସଂଗ୍ରହ କରି ରଖାଯାଏ । କାରଣ ରଜର ତିନିଦିନ ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇ କୌଣସି ପ୍ରକାର ଖନନ, କାଟିବା, ବାଟିବା, ଶସ୍ୟ ପେଷଣ ଭଳି କାମ ସମ୍ପୂର୍ଣ୍ଣ ନିଷେଧ ଥାଏ । ସଜବାଜ ଦିବସର ରାତିରେ ହିଁ ଝିଅମାନେ ନିଜ ନିଜ ହାତରେ ସୁନ୍ଦର ଅଳତା ଓ ମେହେନ୍ଦୀ ଲଗାଇ ସଜ ହୋଇଥାଆନ୍ତି । ଏହି ଦିନ ଘରେଘରେ କୁଣିଆ ଆସିବା ସହିତ ଗାଁ ତୋଟାରେ ଦୋଳି ବନ୍ଧାଯାଇଥାଏ । ସମସ୍ତେ ଦୋଳିଖେଳ ଓ ପିଠା ପଣାର ଆନନ୍ଦ ନେବା ସହ ରଜ ପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି । ବାସ୍ତବରେ, ରଜ ପର୍ବର ଏହି ପାରମ୍ପରିକ ସଜବାଜ କେବଳ ବାହ୍ୟ ସୌନ୍ଦର୍ଯ୍ୟର ପ୍ରଦର୍ଶନ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତିର ସେହି ମହାନ ପରମ୍ପରାର ପ୍ରତୀକ ଯାହା ନାରୀତ୍ୱ, କୃଷି, ପ୍ରକୃତି ଏବଂ ମାନବୀୟ ସମ୍ପର୍କର ସେତୁକୁ ଅତି ନିପୁଣ ଭାବେ ଯୋଡ଼ି ରଖିଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।