ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ଦାୟୀ - କଟକ ଡିସିପି

କଟକ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ଦାୟୀ । ଏସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ । ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଆଜି ବାରଙ୍ଗ ଥାନାରେ ଜେରା ପରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ଘଟଣା ଦିନ ଚନ୍ଦ୍ରିକା ଭୀମସେନଙ୍କୁ ବାରମ୍ବାର କଲ୍ କରିଥିଲେ ହେଲେ ସେ ଉଠାଇ ନଥିଲେ । ଏମିତିକି ଅନ୍ୟର ମୋବାଇଲ୍ ମାଗି ମଧ୍ୟ କଲ୍ କରିଥିଲେ ।
ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ପାଇ ଓଏଏସ ଟ୍ରେନିଂ ସେଣ୍ଟରରୁ ଫେରାର ହୋଇଯାଇଥିଲେ ଭୀମସେନ । ଭୁବନେଶ୍ୱର, ଖୋର୍ଦ୍ଧା, ଟାଙ୍ଗୀ, ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ପୋଲିସ ସହ ଲୁଚକାଳି ଖେଳୁଥିଲେ । ଯେତେବେଳେ ଫେରାରର ସବୁ ବାଟ ବନ୍ଦ ହୋଇ ଯାଇଥିଲା ସେ ବାଧ୍ୟ ହୋଇ ଗତକାଲି ରାତି ୯ଟାରେ ମୟୂରଭଞ୍ଜ ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିଲେ । ଏହାପରେ ବାରଙ୍ଗ ଥାନା ପୋଲିସ ସେଠାରେ ପହଞ୍ଚି ଭୀମସେନଙ୍କୁ କଟକ ଆଣିଥିଲା । ପୁରୁଷବନ୍ଧୁଙ୍କ ପାଖରୁ ଲାପଟପ୍, ଟାବଲେଟ୍ ଜବତ ହୋଇଛି, ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି ବୋଲି ଡିସିପି ସୂଚନା ଦେଇଛନ୍ତି।
ଭୀମସେନଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଜାଣିବା ପରେ ସମ୍ପର୍କରେ ଫାଟ ହୋଇଥିଲା । କଳା ରଙ୍ଗ ଓ ପେଶାକୁ ନେଇ ଆକ୍ଷେପ କରି କହି ସମ୍ପର୍କ ଛିନ୍ନ କରିଥିଲେ ଭୀମସେନ । ଏହି ଘଟଣାରେ ଭୀମସେନଙ୍କ ମହିଳା ବନ୍ଧୁଙ୍କୁ ମଧ୍ୟ ଜେରା କରାଯିବ । ଭୀମସେନଙ୍କ ମୋବାଇଲ ଜବତ ସହ ଏସଏଫଏସଏଲକୁ ପଠାଯାଇଛି ।
ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗରେ ଭୀମସେନ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ତଥ୍ୟ ପାଇଁ ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କଟକ ଡିସିପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।