‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ରୋକ ଲଗାଇ ଵାକୁ ମନାକଲେ ସୁପ୍ରିମ କୋର୍ଟ

Jul 29, 2026 - 15:58
‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ରୋକ ଲଗାଇ ଵାକୁ ମନାକଲେ ସୁପ୍ରିମ କୋର୍ଟ

ଭୁବନେଶ୍ୱର : ପରଦାକୁ ଆସିବ 'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ । ବାଦ ବିବାଦ ପରେ ଏବେ ଫିଲ୍ମ ନିର୍ମାତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ଫିଲ୍ମ ରିଲିଜ  ଉପରେ ରୋକ ଲଗାଇବା ଦାଖଲ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଓ ବିଚାରପତି ଆର୍. ମହାଦେବନଙ୍କ ଖଣ୍ଡପୀଠ ପୂର୍ବରୁ ଜୁଲାଇ ୧୭ ରେ ଦିଆଯାଇଥିବା ଆଦେଶକୁ ବଳବତ୍ତର ରଖି କହିଛନ୍ତି, ରଥଯାତ୍ରା ଶେଷ ପରେ ଫିଲ୍ମ ମୁକ୍ତି ପାଇବାରେ କୌଣସି ବାଧା ନାହିଁ । ଦେଶରେ ସୃଜନଶୀଳତା ବୃଦ୍ଧି ପାଉଛି ଏବଂ ଆନିମେସନ୍ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । କେବଳ କିଛି ଲୋକଙ୍କ ଆପତ୍ତି ଆଧାରରେ କଳାକାରଙ୍କ ସୃଜନଶୀଳତାକୁ ବନ୍ଦୀ କରିହେବ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।

ଶୁଣାଣି ବେଳେ ମନ୍ଦିର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଭଗବାନ ଜଗନ୍ନାଥଙ୍କୁ ଆନିମେଟେଡ୍ ବା ‘କାର୍ଟୁନ’ ରୂପରେ ଦେଖାଇବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । କିନ୍ତୁ ଏହାକୁ ଖଣ୍ଡନ କରି ସୁପ୍ରିମକୋର୍ଟ ମୌଖିକ ଭାବେ କହିଥିଲେ ଯେ କେତେକ ଲୋକଙ୍କ ସମ୍ବେଦନଶୀଳତାକୁ ଆଧାର କରି କଳା ଓ ସୃଜନଶୀଳତା ଉପରେ ରୋକ ଲଗାଯାଇପାରିବ ନାହିଁ । ଏପରି ହେଲେ ରାମାୟଣ, ମହାଭାରତ ଭଳି ମହାକାବ୍ୟ ଉପରେ ଆଧାରିତ ସମସ୍ତ କଳାକୃତି, ଚିତ୍ର, ଟେଲିଭିଜନ ଧାରାବାହିକ ଓ ସାହିତ୍ୟ ମଧ୍ୟ ବନ୍ଦ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ, ମନ୍ଦିର କମିଟି ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ନିର୍ମାତା ପୂର୍ବରୁ ବିଶେଷ ପ୍ରଦର୍ଶନୀ ପରେ ଆପତ୍ତିଜନକ ଦୃଶ୍ୟରେ ପରିବର୍ତ୍ତନ କରିବେ ବୋଲି କହିଥିଲେ, କିନ୍ତୁ ସେହି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଫିଲ୍ମରେ ମହାପ୍ରଭୁଙ୍କୁ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ପରି ଉପସ୍ଥାପନ କରାଯାଇଥିବା ଅଭିଯୋଗ ମଧ୍ୟ ସେ ଆଣିଥିଲେ । ତେବେ ନିର୍ମାତା ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ କୋର୍ଟଙ୍କୁ କହିଥିଲେ ଯେ, କୌଣସି ପରିବର୍ତ୍ତନର ପ୍ରତିଶ୍ରୁତି ଦିଆଯାଇନଥିଲା । ଶେଷରେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି, ନିର୍ମାତା ନିଜ ବିବେକ ଅନୁସାରେ ଚାହିଲେ ପରିବର୍ତ୍ତନ କରିପାରିବେ, କିନ୍ତୁ ଏହାର ବିଚାର କରିବାକୁ କୋର୍ଟ ବସିବେ ନାହିଁ ।

ସୂଚନାନୁସାରେ, ୨୭ ଜୁଲାଇରେ, ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କୁ ଏହି ମାମଲା ଯାଞ୍ଚ କରିବାକୁ ଅନୁରୋଧ କରିବା ସହ ଯୁକ୍ତି ଦେଇଥିଲେ ଯେ ମୁକ୍ତିଲାଭ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ । ପୂର୍ବରୁ, ବିଚାରପତି ବି.ଭି. ନାଗାରତ୍ନ ଏବଂ ଆର. ମହାଦେବନଙ୍କ ଖଣ୍ଡପୀଠ ୨୮ ଜୁଲାଇ ପରେ ପ୍ରଭୁ ଜଗନ୍ନାଥ ଯାତ୍ରା ଉତ୍ସବ ପରେ କିମ୍ବା ତା'ପରେ ସମଗ୍ର ଭାରତରେ ଆନିମେଟେଡ୍ ଫିଲ୍ମର ମୁକ୍ତିଲାଭ ପାଇଁ ଅନୁମତି ଦେଇଥିଲେ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।