ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…
ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ -୫୯୫୭)କୁ ଯାତ୍ରୀବାହୀ ଅଟୋ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ନରସିଂହଗଡ଼ ଗ୍ରାମର ଦିଲ୍ଲୀ ନାଇକ(୪୦) ଏବଂ ତାଙ୍କ ସ୍ତ୍ରୀ ମିନତୀ ନାଇକ(୩୫) ଗୁରୁତର ଆହାତ ହୋଇଛନ୍ତି। ଅଟୋ ଓଲଟି ପଡ଼ିବାରୁ ପୋଡ଼ାମାରି ଗ୍ରାମ ନିକଟ ମା’ ବେହେରାପାତ୍ର ମନ୍ଦିରରେ ଦର୍ଶନ ସାରି ଅଟୋ (ନଂ.ଓଆର ୦୭ ଏକ୍ସ – ୩୨୬୧) ଯୋଗେ ଫେରୁଥିବା ଏସ୍.ଗୋପାଳପୁର ଗ୍ରାମର ଅଭିମନ୍ୟୁ ମଳିକ(୫୧), ନାରାୟଣ ମଳିକ(୪୮), ସରସ୍ବତୀ ମଳିକ (୩୮), ଅରୁନ୍ଧତୀ ମଳିକ (୪୨),ତୁଳା ମଳିକ (୫୮),ବିଷ୍ଣୁ ମଳିକ (୪୬) ଏବଂ ଅଟୋ ଚାଳକ ସଞ୍ଜୟ ସେଠୀ(୨୫) ଆହତ ହୋଇଥିଲେ।
ସମସ୍ତ ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦିଲ୍ଲୀ ଓ ଜୟନ୍ତୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପାଟପୁର ଥାନାରେ ଏତଲା ହେବା ପରେ କେସ୍ ନଂ.୧୮୭/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଥାନା ଏଏସ୍ଆଇ ସୁଧୀର ନାୟକ ଜଣାଇଛନ୍ତି।