ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍କା
କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି। ରାତି ୭ଟା ୪ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ୨୧୫ କି.ମି. ଗଭୀରରେ ବୋଲି ଜଣାପଡ଼ିଛି। ତେବେ ଭୂକମ୍ପଜନିତ ମୃତାହତ ସଂଖ୍ୟା ଏବଂ କ୍ଷୟକ୍ଷତି ପରିମାଣ ଜଣାପଡ଼ିନାହିଁ। ଏହାର ପ୍ରଭାବରେ ପାକିସ୍ତାନ ଏବଂ ଉତ୍ତରପଶ୍ଚିମ ଭାରତରେ ଝଟକା ଅନୁଭୂତ ହୋଇଛି। ଏଥିସହିତ ଚାଇନା, ତାଜିକିସ୍ତାନ, ଉଜ୍ବେକିସ୍ତାନ, କିର୍ଗିଜସ୍ତାନ ଓ ତୁର୍କମେନିସ୍ତାନରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିବା ଜଣାପଡ଼ିଛି।
ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଉତ୍ତରପୂର୍ବରେ ଥିବା କାଲାଫଗାନଠାରୁ ୮୧ କି.ମି. ଦୂରରେ। ତେବେ କେନ୍ଦ୍ରସ୍ଥଳ ବହୁ ଗଭୀରରେ ହୋଇଥିବାରୁ ଏହାର ପ୍ରଭାବ ବ୍ୟାପକ ଅଞ୍ଚଳରେ ଅନୁଭୂତ ହେଲେ ମଧ୍ୟ କ୍ଷୟକ୍ଷତି ପରିମାଣ ଅପେକ୍ଷାକୃତ କମ୍ ହେବା ଆଶା କରାଯାଉଛି।
ଭୂକମ୍ପ ଝଟକା ଦିଲ୍ଲୀ, ଜମ୍ମୁ-କଶ୍ମୀର ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ଆଫଗାନିସ୍ତାନର କାବୁଲ, ଖୋଷ୍ଟ ଏବଂ ନଙ୍ଗରହାର ପ୍ରଦେଶରେ ସର୍ବଧିକ କମ୍ପନ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ ରାଜଧାନୀ ଇସ୍ଲାମାବାଦ, ସ୍ବାତ୍, ହଙ୍ଗୁ, ଉତ୍ତର ଓ୍ବାଜିରିସ୍ତାନ, ଚିତ୍ରାଲ ଓ ରାଓ୍ବଲପିଣ୍ଡିରେ ଝଟକା ଅନୁଭବ ହୋଇଛି।