ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ
ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍ବଦେଇ ଯାଇଥିବା ଋଷିକୂଲ୍ୟା ନଦୀ କୂଳରେ ପାର୍କ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପାଚେରିଟି ହଠାତ ଭୁଶୁଡ଼ି ପଡ଼ିବାରୁ ପାଖରେ ଠିଆ ହୋଇଥିବା ସେହିଗ୍ରାମର ପାଞ୍ଚାଳି ଗୌଡ଼(୩୫) ନାମକ ମହିଳା ପାଚେରିର କାନ୍ଥତଳେ ଚାପିହୋଇ ମୃତ୍ୟୁବରଣ କରିଛନ୍ତି। ମୃତ ପାଞ୍ଚାଳୀଙ୍କ ସ୍ବାମୀ ଗ୍ରାମରେ ଗାଈ, ଛେଳି ଚରାଇ ପରିବାର ପୋଷୁଛନ୍ତି। ପାଚେରି ନିକଟରେ ତାଙ୍କର ଏକ ଗୁହାଳଟି ରହିଛି। ସେ ଗାଈ ବାନ୍ଧିବା ଲାଗି ଗୁହାଳକୁ ଯାଇ ଗାଈର ଆସିବା ବାଟକୁ ଅପେକ୍ଷାକରି ପାଚେରି ପାଖରେ ଠିଆ ହୋଇଥିଲେ। ଏହି ସମୟରେ ହଠାତ୍ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ସେ ପାଚେରି ତଳେ ଚାପିହୋଇ ରହିଯାଇଥିଲେ। ଏହାଦେଖି ପାଖରେ ଥିବାଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହିଞ୍ଜିଳି ମେଡିକାଲକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ଏଭଳି ପାଚେରି ଭୁଶୁଡ଼ି ନିରିହ ମହିଳାଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଉତ୍ତେଜିତ ହୋଇ ହିଞ୍ଜିଳି-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିଲେ। ଏହାର ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ହିଞ୍ଜିଳି ପୋଲିସ ଘଟଣାସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ଏହାସହ ତହସିଲଦାର ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତ। ମୃତଦେହକୁ ପୋଲିସ ଜବତ କରିଛି। ମୃତ ମହିଳାଙ୍କ ୧୨ ବର୍ଷର ଗୋଟିଏ ଝିଅ ଓ ୮ ବର୍ଷର ଶିଶୁପୁତ୍ର ଅଛନ୍ତି। ଏମାନେ ମା’ ଛେଉଣ୍ଡ ହୋଇପଡ଼ିଥିବା ବେଳେ ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ସରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।