ଭୂମିହୀନଙ୍କୁ ମିଳୁନି ପଟ୍ଟା, ୨ ବର୍ଷ ହେଲା କାର୍ଯ୍ୟାଳୟ ଧାଇଁ ନୟାନ୍ତ ବସ୍ତିବାସିନ୍ଦା
ନନ୍ଦିଘୋଷ ବ୍ୟୁରୋ : ଭୂମିହୀନଙ୍କୁ ମିଳୁନି ଘରବାରି ପଟ୍ଟା। ପଟ୍ଟା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଲୋକେ। ହେଲେ ଏଯାଏଁ ମିଳୁନି ସ୍ଥାୟୀ ସମାଧାନ। ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନଦୀପଦର ବସ୍ତିରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ନଦୀପଦର ବସ୍ତିରେ ପ୍ରାୟ ୩୦୦ ପରିବାର ବସବାସ କରୁଛନ୍ତି। ପୂର୍ବ ସରକାର ସମୟରେ ଜାଗା ମିଶନ ଯୋଜନାରେ ପ୍ରାୟ ୧୫୦ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ସରକାର ପରିବର୍ତ୍ତନ ପରେ ବାକି ଥିବା ପ୍ରାୟ ୧୫୦ ପରିବାରଙ୍କୁ ଏଯାଏଁ ପଟ୍ଟା ମିଳିନଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ବିଧବା, ସ୍ୱାମୀ ପରିତ୍ୟକ୍ତା, ଅସହାୟ ଓ ଭୂମିହୀନ ପରିବାରଗୁଡ଼ିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରର ଜମିର ମାଲିକାନା ନଥିବାରୁ ପରିବାରଗୁଡ଼ିକ ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଥିବା ବସ୍ତିବାସିନ୍ଦାମାନେ କହିଛନ୍ତି। ପୂର୍ବ ସରକାରଙ୍କ ଜାଗା ମିଶନ ଯୋଜନା ଭଳି ବର୍ତ୍ତମାନ ସରକାର ମଧ୍ୟ ସମସ୍ତ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ପଟ୍ଟା ପାଇଁ ଗତ ଦୁଇ ବର୍ଷ ଧରି ବସ୍ତିବାସିନ୍ଦାମାନେ ତହସିଲଦାର ଓ ଏନ୍ଏସି କାର୍ଯ୍ୟାଳୟକୁ ବାରମ୍ବାର ଧାଇଁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, ପଟ୍ଟା ମିଳୁନାହିଁ ବୋଲି ସେମାନେ କହିଛନ୍ତି। ତୁରନ୍ତ ସର୍ଭେ କରି ଯୋଗ୍ୟ ଭୂମିହୀନ ପରିବାର ଗୁଡ଼ିକୁ ପଟ୍ଟା ପ୍ରଦାନ କରାଯାଉ ବୋଲି ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସମସ୍ତ ବସ୍ତିବାସିନ୍ଦା ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
