ଭରା ନଈରେ ବାଜି ଲାଗିଛି ଜୀବନ, ଦଉଡ଼ି ସାଜିଛି ଗ୍ରାମବାସୀଙ୍କ ନିତିଦିନିଆ ରାସ୍ତା
ନନ୍ଦିଘୋଷ ବ୍ୟୁରୋ : ଭରା ନଈରେ ବାଜି ଲାଗିଛି ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀର ଦୁଇ ପାର୍ଶ୍ବରେ ଗଛରେ ଦଉଡ଼ି ବାନ୍ଧି ଦୈନନ୍ଦିନ ସେହି ନଈ ପାର ହେଉଛନ୍ତି ଅଞ୍ଚଳବାସୀ । ବଜାର ସଉଦା, ପିଲାଙ୍କ ସ୍କୁଲ୍ ଯିବା ହେଉ ବା ଡାକ୍ତରଖାନା ଯିବା ସବୁ କାମ ପାଇଁ ଦଉଡ଼ି ହିଁ ପାଲଟିଛି ନିତିଦିନିଆ ରାସ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଜିମାହା ବୁଢ଼ା ନଦୀ ଘାଟରେ । ବୁଢ଼ା ନଦୀ ଆର ପାରିରେ ରହିଛି ପରମପାଙ୍ଗା ପଞ୍ଚାୟତର ତିନି ନମ୍ବର ୱାର୍ଡ଼ର ୫ଟି ଗାଁ କାଡ଼ାମାହା, ଟକପଦର, କାମେରି, ଡୁବଲାମାହା ଓ ବାଲିମାହା । ଏହି ସବୁ ଗାଁରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମସ୍ତ ଜରୁରୀକାଳୀନ ସେବା ପାଇଁ ଅଞ୍ଚଳବାସୀ ପରମପାଙ୍ଗା ପଞ୍ଚାୟତ ଉପରେ ନିର୍ଭର କରନ୍ତି । କିନ୍ତୁ ବର୍ଷା ଦିନେ ପଞ୍ଚାୟତକୁ ଯିବାକୁ ହେଲେ ନଦୀ ପାର ହେଇ ବିପଦ ସଙ୍କୁଳ ଅବସ୍ଥାରେ ଯିବାକୁ ପଡ଼ିଥାଏ । ବର୍ଷା ଦିନ ଆସିଲେ ଏହି ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବନ୍ଦ ହୋଇଯାଏ । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
