ବ୍ରିଟେନ ଗ୍ରୀଷ୍ମପ୍ରବ‌ାହ ନେଲାଣି ୩ ହଜାର ଜୀବନ

Jul 30, 2026 - 23:24
ବ୍ରିଟେନ ଗ୍ରୀଷ୍ମପ୍ରବ‌ାହ ନେଲାଣି ୩ ହଜାର ଜୀବନ

ଲଣ୍ଡନ: ଚଳିତବର୍ଷ ମେ ଓ ଜୁନ୍‌ ମାସରେ ଇଂଲଣ୍ଡ ଏବଂ ୱେଲ୍ସରେ ରେକର୍ଡଭଙ୍ଗା ଗ୍ରୀଷ୍ମପ୍ରବାହ ଯୋଗୁ ପାଖାପାଖି ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ପ୍ରକାଶିତ ସଦ୍ୟତମ ଆକଳନ ଅନୁଯାୟୀ ମେ ଓ ଜୁନ୍‌ର ଗ୍ରୀଷ୍ମପ୍ରବାହ ଯୋଗୁ ୨,୮୭୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ୨୦୨୨ରେ ହୋଇଥିବା ୨,୯୮୫ ଜଣଙ୍କ ମୃତ୍ୟୁ ରେକର୍ଡର ଖୁବ୍‌ ନିକଟରେ ପହଞ୍ଚିଛି। ଅଗଷ୍ଟ ମାସ ଏଯାଏ ବାକି ଥିବାରୁ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି। ୟୁକେଏଚ୍‌ଏସ୍‌ଏ କହିଛି, ଅଧିକାଂଶ ମୃତ୍ୟୁ ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଘଟିଛି। ତୀବ୍ର ଗରମ ଯୋଗୁଁ ହୃଦ୍‌ରୋଗ, ଶ୍ବାସକ୍ରିୟା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯିବାରୁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଦେଶର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ଉପରେ ମଧ୍ୟ ଅସାଧାରଣ ଚାପ ପଡ଼ିଥିଲା। ବିଶେଷଜ୍ଞଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ବ୍ରିଟେନରେ ଗ୍ରୀଷ୍ମପ୍ରବାହ ତୀବ୍ରତା ଓ ସ୍ଥାୟିତ୍ବ ଦ୍ରୁତ ଗତିରେ ବଢ଼ୁଛି। ଇମ୍ପେରିଆଲ୍‌ କଲେଜ୍‌ ଲଣ୍ଡନ, ବ୍ରିଟେନର ମେଟ୍‌ ଅଫିସ୍‌ ଓ ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଆଣ୍ଡ୍‌ ଟ୍ରପିକାଲ୍‌ ମେଡିସିନ୍‌ର ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମେ ଓ ଜୁନ୍‌ର ଗ୍ରୀଷ୍ମପ୍ରବାହରେ ହୋଇଥିବା ମୃତ୍ୟୁର ପ୍ରାୟ ୪୨ ପ୍ରତିଶତ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ସହ ସିଧାସଳଖ ଜଡ଼ିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।