ବୋଟ୍‌ କ୍ଲବ୍‌ରୁ ଯନ୍ତର ମନ୍ତର: କେମିତି ଆରମ୍ଭ ହେଲା କାହାଣୀ?

Oct 13, 2026 - 18:04
ବୋଟ୍‌ କ୍ଲବ୍‌ରୁ ଯନ୍ତର ମନ୍ତର: କେମିତି ଆରମ୍ଭ ହେଲା କାହାଣୀ?

ବୋଟ୍‌ କ୍ଲବ୍‌ରୁ ଯନ୍ତର ମନ୍ତର: କେମିତି ଆରମ୍ଭ ହେଲା କାହାଣୀ?

ନନ୍ଦିଘୋଷ ବ୍ୟୁରୋ: ଯନ୍ତର ମନ୍ତରର କାହାଣୀ ବୁଝିବାକୁ ହେଲେ ଯିବାକୁ ପଡ଼ିବ ୧୯୮୮ ମସିହାକୁ। ସେତେବେଳେ ଦିଲ୍ଲୀରେ ବଡ଼ ବଡ଼ ଧାରଣା ଓ ଆନ୍ଦୋଳନ ପାଇଁ ବୋଟ୍‌ କ୍ଲବ୍‌ ଥିଲା ପ୍ରମୁଖ ସ୍ଥାନ। ଚାଷୀ ନେତା ମହେନ୍ଦ୍ର ସିଂହ ଟିକାୟତଙ୍କ ନେତୃତ୍ୱରେ ହଜାର ହଜାର ଚାଷୀଙ୍କ ଆନ୍ଦୋଳନ ଦିଲ୍ଲୀକୁ ଦୋହଲାଇ ଦେଇଥିଲା। ଏହାପରେ ବୋଟ୍‌ କ୍ଲବ୍‌ରେ ସଭା ଓ ଆନ୍ଦୋଳନ ଉପରେ କଟକଣା ବଢ଼ିଥିଲା। ଏହି ପରିସ୍ଥିତିରେ ୧୯୯୩ ମସିହାରୁ ଯନ୍ତର ମନ୍ତର ରାସ୍ତା ଦିଲ୍ଲୀର ପ୍ରମୁଖ ପ୍ରତିବାଦସ୍ଥଳ ଭାବେ ଉଭା ହୋଇଥିଲା। ସଂସଦ ନିକଟରେ ଥିବାରୁ ଏଠାରେ ଆନ୍ଦୋଳନକାରୀଙ୍କ ସ୍ୱର ଜାତୀୟ ରାଜନୀତି ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଥିଲା।

୨୦୧୧: ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ

ଲୋକପାଳ ବିଲ୍‌ ଓ ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ଅନଶନ ଯନ୍ତର ମନ୍ତରକୁ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ର କରିଥିଲା। ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇଥିଲା।

୨୦୧୭: ଚାଷୀ ସମସ୍ୟା  ଓ ଋଣଛାଡ଼ ଦାବି

ତାମିଲନାଡ଼ୁର ଚାଷୀମାନେ ମରୁଡ଼ି, ଋଣ ଓ କୃଷି ସଙ୍କଟକୁ ନେଇ ଦୀର୍ଘ ଦିନ ଧରି ଧାରଣା ଦେଇଥିଲେ। ସେମାନଙ୍କ ପ୍ରତିବାଦ ଜାତୀୟ ସ୍ତରରେ କୃଷି ସଙ୍କଟ ପ୍ରତି ଧ୍ୟାନ ଆକର୍ଷଣ କରିଥିଲା।

୨୦୨୩: କୁସ୍ତିଯୋଦ୍ଧାଙ୍କ ନ୍ୟାୟ ପାଇଁ ଲଢ଼େଇ

ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟଙ୍କ ସମେତ ପ୍ରମୁଖ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ସଂଘର ତତ୍କାଳୀନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ଉଠାଇ ଏଠାରେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନ କ୍ରୀଡ଼ା ଜଗତରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟକୁ ନେଇ ବଡ଼ ବିତର୍କ ସୃଷ୍ଟି କରିଥିଲା।

ଏହା କେବଳ କିଛି ବଡ଼ ଆନ୍ଦୋଳନର ଉଦାହରଣ। ଏହି ସ୍ଥାନରେ ଛୋଟ ଛୋଟ ଦାବି ନେଇ ଆସିଥିବା ସାଧାରଣ ଲୋକ ମଧ୍ୟ ନିଜ ସମସ୍ୟାକୁ ଦେଶ ସାମ୍ନାରେ ରଖିବାର ସୁଯୋଗ ପାଇଥିଲେ।

୨୦୧୭ରେ ବି ଥିଲା ଚର୍ଚ୍ଚାରେ….

ଯନ୍ତର ମନ୍ତରର ଇତିହାସ ସବୁବେଳେ ସହଜ ନଥିଲା। ୨୦୧୭ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ (NGT) ଶବ୍ଦ ପ୍ରଦୂଷଣ ଓ ପରିବେଶ ସମ୍ବନ୍ଧୀୟ ଚିନ୍ତାକୁ ଆଧାର କରି ଏହି ସ୍ଥାନରେ ଧାରଣା ଓ ଆନ୍ଦୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନକାରୀମାନଙ୍କୁ ରାମଲୀଳା ମୈଦାନ ଭଳି ବିକଳ୍ପ ସ୍ଥାନକୁ ଯିବାକୁ ପଡ଼ିଥିଲା। କିନ୍ତୁ ଯନ୍ତର ମନ୍ତରର ପରିଚୟ ସେତେବେଳେ ସମ୍ପୂର୍ଣ୍ଣ ଲିଭିଯାଇ ନଥିଲା। ପରବର୍ତ୍ତୀ ସମୟରେ ଏହା ପୁଣି ବିଭିନ୍ନ ଆନ୍ଦୋଳନର ଠିକଣା ହୋଇଥିଲା।

ଏବେ କେଉଁଠି ହେବ ଧାରଣା?

ଦିଲ୍ଲୀ ପୁଲିସର ନୂଆ ନିଷ୍ପତ୍ତି ଅନୁଯାୟୀ, ଧାରଣା ଓ ପ୍ରତିବାଦ ପାଇଁ ତିନୋଟି ସ୍ଥାନ ନିର୍ଦ୍ଧାରଣ କରାଯାଇଛି।

ରାମଲୀଳା ମୈଦାନ: ସେଣ୍ଟ୍ରାଲ ଦିଲ୍ଲୀ

ବୁରାଡ଼ି ମୈଦାନ: ନର୍ଥ ଦିଲ୍ଲୀ

ସିବିଡି ମୈଦାନ: ଇଷ୍ଟ ଦିଲ୍ଲୀ

ପ୍ରଶାସନର ଯୁକ୍ତି ହେଉଛି, ସୁରକ୍ଷା ବ୍ୟବସ୍ଥା ଓ ଯାତାୟାତ ପରିଚାଳନାକୁ ସହଜ କରିବା ପାଇଁ ଏହି ପରିବର୍ତ୍ତନ ଆବଶ୍ୟକ। ତେବେ ପ୍ରତିବାଦକାରୀଙ୍କ ପାଇଁ ନୂଆ ସ୍ଥାନଗୁଡ଼ିକ ସଂସଦ ଓ ରାଜନୈତିକ କ୍ଷମତା କେନ୍ଦ୍ରରୁ ଦୂରରେ ଥିବାରୁ ସେମାନଙ୍କ ସ୍ୱର କେତେ ଶୀଘ୍ର ପହଞ୍ଚିବ, ତାହା ନେଇ ପ୍ରଶ୍ନ ଉଠୁଛି।

ଯନ୍ତର ମନ୍ତରର ଅନ୍ତ ନା ଗଣତନ୍ତ୍ରର ନୂଆ ପରୀକ୍ଷା?

ଯନ୍ତର ମନ୍ତର ଆଉ ଆନ୍ଦୋଳନର ଅଧିକୃତ ଠିକଣା ନ ରହିବା ଏକ ପ୍ରଶାସନିକ ନିଷ୍ପତ୍ତି ହୋଇପାରେ। କିନ୍ତୁ ଏହା ସହ ଜଡ଼ିତ ମୂଳ ପ୍ରଶ୍ନ ହେଉଛି, ସାଧାରଣ ଲୋକ ନିଜ ଦାବିକୁ କ୍ଷମତା କେନ୍ଦ୍ର ନିକଟରେ ଉପସ୍ଥାପନ କରିବାର ସୁଯୋଗ କେତେ ସହଜରେ ପାଇବେ? କାରଣ ଗଣତନ୍ତ୍ରରେ ନିର୍ବାଚନ ଯେତିକି ଜରୁରୀ, ଲୋକଙ୍କୁ ନିଜର ଦାବି ଶାନ୍ତିପୂର୍ଣ୍ଣ ଭାବେ ପ୍ରକାଶ କରିବାର ସୁଯୋଗ ମଧ୍ୟ ସେତିକି ଜରୁରୀ। ଆନ୍ଦୋଳନର ସ୍ଥାନ ବଦଳିପାରେ, ନିୟମ ବଦଳିପାରେ; କିନ୍ତୁ ଲୋକଙ୍କ ସମସ୍ୟା ଓ ନ୍ୟାୟ ପାଇଁ ଦାବି ଶେଷ ହୋଇଯାଏ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)