07 JULY 2026

Welcome!

Unlock your personalized experience.
Sign Up

ବିଶ୍ୱ ମଞ୍ଚରେ ଭାରତର ନୂଆ ଚାଲ୍ ! ମୋଦୀ-ଜୟଶଙ୍କରଙ୍କ ଡବଲ୍ ଡିପ୍ଲୋମାସି

Jul 07, 2026 - 17:32
ବିଶ୍ୱ ମଞ୍ଚରେ ଭାରତର ନୂଆ ଚାଲ୍ ! ମୋଦୀ-ଜୟଶଙ୍କରଙ୍କ ଡବଲ୍ ଡିପ୍ଲୋମାସି

ନୂଆଦିଲ୍ଲୀ,୦୭/୦୬: "ମୋଦୀଙ୍କ ଭିଜନ୍, ଜୟଶଙ୍କରଙ୍କ କୂଟନୀତି… ମୁସଲିମ ଦେଶ ସହ ସମ୍ପର୍କର ନୂଆ ଅଧ୍ୟାୟ ଲେଖୁଛି ଭାରତ।" ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାରେ ମୋଦୀ-ଜୟଶଙ୍କରଙ୍କ ଯୋଡ଼ି। ଜଣେ ବିଶ୍ୱ ମଞ୍ଚରେ ରଣନୀତି ଗଢ଼ୁଛନ୍ତି, ଆଉ ଜଣେ କୂଟନୀତିରେ ସେହି ରଣନୀତିକୁ ସଫଳ କରୁଛନ୍ତି। ଭାରତକୁ ବିଶ୍ୱର ଏକ ପ୍ରଭାବଶାଳୀ ଶକ୍ତି ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଉଭୟ ନେତା ଲାଗିପଡ଼ିଛନ୍ତି । ବିଶେଷକରି ମୁସଲିମ ବହୁଳ ଦେଶଗୁଡ଼ିକ ସହ ସମ୍ପର୍କକୁ ବଢାଇବା, ବିଶ୍ୱାସର ସେତୁ ମଜବୁତ କରିବା ଓ ବାଣିଜ୍ୟ, ଶକ୍ତି, ସୁରକ୍ଷା ଏବଂ ରଣନୀତିକ ସହଯୋଗ କରିବା ଏବେ ଭାରତର ବିଦେଶ ନୀତିର ପ୍ରମୁଖ ଲକ୍ଷ୍ୟ ପାଲଟିଛି। ଏହି କୂଟନୀତିକ ଅଭିଯାନ ମାଧ୍ୟମରେ ଭାରତ କେବଳ ସମ୍ପର୍କକୁ ଦୃଢ଼ କରୁନାହିଁ, ବରଂ ବିଶ୍ୱ ରାଜନୀତିରେ ନିଜର ପ୍ରଭାବକୁ ମଧ୍ୟ ନୂଆ ସ୍ତରକୁ ନେଉଛି।

ବିଶ୍ୱ ରାଜନୀତିରେ ଭାରତ ନିଜର କୂଟନୀତିକ ପ୍ରଭାବକୁ ଦିନକୁ ଦିନ ଆହୁରି ବିସ୍ତାର କରୁଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଣନୀତିକ ସହଯୋଗର ନୂଆ ଦିଗ ଖୋଲୁଥିବାବେଳେ, ଅନ୍ୟପଟେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସେହି ସମ୍ପର୍କକୁ କୂଟନୀତିକ ସ୍ତରରେ ଆହୁରି ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଉଭୟ ନେତାଙ୍କ ବିଦେଶ ଗସ୍ତ ବିଶ୍ବରେ ଭାରତର ଦବଦବାକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ତିନିଟି ଦେଶ ଗସ୍ତରେ ଥିବାବେଳେ ବିଦେଶ ମନ୍ତ୍ରୀ ଜୟଶଙ୍କର ଛଅଟି ଦେଶ ଗସ୍ତ କରୁଛନ୍ତି। ଜୟଶଙ୍କରଙ୍କ ଏହି ଗସ୍ତରେ କତାର, ବାହାରିନ, କୁଏତ ଓ ଓମାନ ଭଳି ଚାରିଟି ମୁସଲିମ ବହୁଳ ଖାଡ଼ି ଦେଶ ସାମିଲ ରହିଛି।

ଇଣ୍ଡୋନେସିଆ ସହ ମଜଭୁତ ହେବ ସମ୍ପର୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଶ୍ୱର ସର୍ବବୃହତ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଜାକର୍ତ୍ତା ବିମାନବନ୍ଦରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ୨୦୧୮ରେ ଉଭୟ ଦେଶ ମଧ୍ୟରେ କମ୍ପେ୍ରହେନସିଭ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ସ୍ଥାପିତ ହେବା ପରେ ଏହା ମୋଦିଙ୍କ ପ୍ରଥମ ଦ୍ୱିପାକ୍ଷିକ ଇଣ୍ଡୋନେସିଆ ଗସ୍ତ। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ ଅର୍ଥନୀତି, ସ୍ୱଚ୍ଛ ଶକ୍ତି, ଖାଦ୍ୟ ସୁରକ୍ଷା ଏବଂ ନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ସହ ଭାରତର ଆକ୍ଟ ଇଷ୍ଟ ପଲିସି ଓ ଇଣ୍ଡୋ-ପାସିଫିକ୍ ଭିଜନକୁ ଆହୁରି ଶକ୍ତି ମିଳିବ ବୋଲି କୂଟନୀତିକ ମହଲରେ ଚର୍ଚ୍ଚା ହେଉଛି । ଦକ୍ଷିଣ-ପୂର୍ବ ଏସିଆରେ ଚୀନର ବଢ଼ୁଥିବା ପ୍ରଭାବ ମଧ୍ୟରେ ଇଣ୍ଡୋନେସିଆ ସହ ଘନିଷ୍ଠ ସମ୍ପର୍କ ଭାରତ ପାଇଁ ରଣନୀତିକ ଦୃଷ୍ଟିରୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ।

ସମୁଦ୍ର ଉପକୂଳବର୍ତ୍ତୀ ଦେଶ ସହ ମଜବୁତ ହେଉଛି ସମ୍ପର୍କ:

ଅନ୍ୟପଟେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କତାରରେ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍-ଥାନିଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଶକ୍ତି କ୍ଷେତ୍ରରେ ସହଯୋଗ, ବାଣିଜ୍ୟ, ନିବେଶ, ଯୋଗାଯୋଗ ବ୍ୟବସ୍ଥା, ପ୍ରଯୁକ୍ତି ଓ ଅଞ୍ଚଳୀୟ ସୁରକ୍ଷା ଭଳି ବିଷୟଗୁଡ଼ିକ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଥିଲା। ସେହିପରି କତାରରେ ବସବାସ କରୁଥିବା ବିଶାଳ ଭାରତୀୟ ସମୁଦାୟର ସୁରକ୍ଷା ଓ କଲ୍ୟାଣ ପାଇଁ କତାର ସରକାରଙ୍କ ସହଯୋଗକୁ ଜୟଶଙ୍କର ପ୍ରଶଂସା କରିଥିଲେ।

କତାର ପରେ ଜୟଶଙ୍କର ବାହାରିନ, କୁଏତ, ଓମାନ, ଆମେରିକା ଓ ବେଲଜିୟମ ଗସ୍ତ କରିବେ। ଖାଡ଼ି ଦେଶଗୁଡ଼ିକ ସହ ଭାରତର ବଢ଼ୁଥିବା ସହଯୋଗ କେବଳ ତୈଳ ଓ ଗ୍ୟାସ ଆମଦାନୀରେ ସୀମିତ ନୁହେଁ, ବରଂ ପ୍ରତିରକ୍ଷା, ନିବେଶ, ଷ୍ଟାର୍ଟଅପ୍, ଖାଦ୍ୟ ସୁରକ୍ଷା ଓ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ନୂଆ ଦିଗ ଦେଉଛି ।

ଜାତିସଂଘରେ ଭାରତର ଦାବି:

ଆମେରିକା ଗସ୍ତ ସମୟରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଜାତିସଂଘ ସୁରକ୍ଷା ପରିଷଦର ୨୦୨୮–୨୯ କାର୍ଯ୍ୟକାଳ ପାଇଁ ଭାରତର ଅସ୍ଥାୟୀ ସଦସ୍ୟ ପଦ ପ୍ରାର୍ଥିତା ସମ୍ପର୍କିତ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ। ଏହା ମାଧ୍ୟମରେ ବିଶ୍ୱ ମଞ୍ଚରେ ଭାରତର ନେତୃତ୍ୱ, ବିଶ୍ୱସନୀୟତା ଓ କୂଟନୀତିକ ପ୍ରଭାବକୁ ଆହୁରି ସୁଦୃଢ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ବିଶ୍ୱ ମଞ୍ଚରେ ଭାରତର ଦବଦବା:

ଭାରତ ବିଦେଶ ଗସ୍ତଗୁଡ଼ିକ ଦର୍ଶାଉଛି ଯେ ଭାରତ ଏବେ କେବଳ ଦକ୍ଷିଣ ଏସିଆରେ ସୀମିତ ରହିନାହିଁ, ବରଂ ଏସିଆ, ଖାଡ଼ି ଅଞ୍ଚଳ ଓ ବିଶ୍ୱ ଶକ୍ତିକେନ୍ଦ୍ରଗୁଡ଼ିକ ସହ ସନ୍ତୁଳିତ ଓ ବହୁମୁଖୀ କୂଟନୀତି ମାଧ୍ୟମରେ ନିଜର ପ୍ରଭାବ ବଢ଼ାଉଛି। ପ୍ରଧାନମନ୍ତ୍ରୀ ମୋଦି ଓ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସମନ୍ୱିତ କୂଟନୀତିକ ପ୍ରୟାସ ଭାରତକୁ ବିଶ୍ୱ ରାଜନୀତିରେ ଏକ ଦାୟିତ୍ୱବାନ, ବିଶ୍ୱସନୀୟ ଓ ପ୍ରଭାବଶାଳୀ ଶକ୍ତି ଭାବେ ସ୍ଥାପିତ କରିବା ଦିଗରେ ଆହୁରି ଆଗକୁ ନେଉଛି।

ଅଧିକ ପଢନ୍ତୁ- Kerala Wayanad Landslide: ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନ; ସୁଡ଼ଙ୍ଗ ମାଟି ଧସି ଜଣେ ମୃତ, ୭ ନିଖୋଜ, ଠିକାଦାରଙ୍କ ଉପରେ ବର୍ଷିଲେ ସିଏମ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।