07 JULY 2026

Welcome!

Unlock your personalized experience.
Sign Up

Viral: ମେୟରଙ୍କ ବଧୂ ସାଜିଲା କୁମ୍ଭୀର ! ଧୁମଧାମରେ ହେଲା ବିବାହ, କାରଣ ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ...

Jul 07, 2026 - 18:15
Viral: ମେୟରଙ୍କ ବଧୂ ସାଜିଲା କୁମ୍ଭୀର ! ଧୁମଧାମରେ ହେଲା ବିବାହ, କାରଣ ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ...

ନୂଆଦିଲ୍ଲୀ, ୦୭/୦୬:  ବ୍ୟାଣ୍ଡ ବାଜା, ନାଚଗୀତ, ଶହ ଶହ ଅତିଥି ଓ ଭବ୍ୟ ବିବାହ ଆୟୋଜନ। ବର ସାଜି ମଞ୍ଚରେ ଅପେକ୍ଷା କରିଛନ୍ତି ସହରର ମେୟର। କିନ୍ତୁ ବଧୂ ମଣ୍ଡପକୁ ପହଞ୍ଚିବା ମାତ୍ରେ ସମସ୍ତେ ଚକିତ। କାରଣ ବଧୂ କୌଣସି ମହିଳା ନୁହେଁ, ବରଂ ଏକ ଜୀବନ୍ତ କୁମ୍ଭୀର। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ। ଏହି ଅନନ୍ୟ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ କହୁଛନ୍ତି ଏମିତି ବି ହୁଏ ବିବାହ।

ପ୍ରତିବର୍ଷ ମେକ୍ସିକୋର ଓଆକ୍ସାକା ରାଜ୍ୟର ସାନ ପେଡ୍ରୋ ହୁଆମେଲୁଲା ସହରରେ ଏହି ନିଆରା ବିବାହ ଉତ୍ସବ ଆୟୋଜିତ ହୁଏ। ଚଳିତ ବର୍ଷ ସହରର ମେୟର ଡାନିଏଲ୍ ଗୁଟିରେଜ୍ ଆନା ସିଣ୍ଟିଆ ରାମିରେଜ୍ ଆହୁମାଡା ନାମକ ଏକ ମହିଳା କୁମ୍ଭୀରକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହା କୌଣସି ପ୍ରଚାର ଷ୍ଟଣ୍ଟ କିମ୍ବା ଅନ୍ଧବିଶ୍ୱାସ ନୁହେଁ। ବରଂ ୨୩୦ ବର୍ଷରୁ ଅଧିକ ପୁରୁଣା ଏକ ଆଦିବାସୀ ପରମ୍ପରା। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ଏହିଭଳି ବିବାହ କଲେ ପୃଥିବୀ ଓ ପ୍ରକୃତି ପ୍ରତି ସମ୍ମାନ ଅଟେ । ଲୋକବିଶ୍ୱାସ ରହିଛି ଯେ ଏହି ପରମ୍ପରା ପାଳନ କଲେ ଭଲ ବର୍ଷା ହୁଏ, ଫସଲ ଭଲ ଅମଳ ହୁଏ ଏବଂ ମତ୍ସ୍ୟଜୀବୀମାନେ ପ୍ରଚୁର ମାଛ ପାଆନ୍ତି। ଅର୍ଥାତ୍ ମଣିଷ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖି ସୁଖ ଓ ସମୃଦ୍ଧିର କାମନା କରାଯାଏ।

ଏହି ପରମ୍ପରା ପଛରେ ଏକ ପ୍ରାଚୀନ ଲୋକକଥା ମଧ୍ୟ ରହିଛି। କୁହାଯାଏ ଯେ ବହୁ ବର୍ଷ ପୂର୍ବେ ଚୋଣ୍ଟାଲ ଓ ହୁଆଭେ ଜନଜାତି ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ପରେ ଚୋଣ୍ଟାଲ ରାଜା ଓ ହୁଆଭେ ରାଜକୁମାରୀଙ୍କ ବିବାହ ମାଧ୍ୟମରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପିତ ହୋଇଥିଲା। ଆଜିର ପରମ୍ପରାରେ ମେୟରଙ୍କୁ ଚୋଣ୍ଟାଲ ରାଜାଙ୍କ ପ୍ରତୀକ ଭାବେ ଦେଖାଯାଉଥିବା ବେଳେ ମହିଳା କୁମ୍ଭୀରକୁ ହୁଆଭେ ରାଜକୁମାରୀଙ୍କ ପ୍ରତୀକ ଭାବେ ମନେ କରାଯାଏ। ତେଣୁ ଏହି ବିବାହ ଏକତା, ଶାନ୍ତି ଓ ସମନ୍ୱୟର ବାର୍ତ୍ତା ଦେଇଥାଏ।

ବିବାହ ଦିନ କୁମ୍ଭୀରକୁ ଏକ ସୁନ୍ଦର ଧଳା ଗାଉନ ପିନ୍ଧାଯାଏ। ରଙ୍ଗୀନ ଫୁଲ ଓ ରିବନରେ ସଜାଯାଇ ବ୍ୟାଣ୍ଡ ବାଜା ସହ ସାରା ସହର ବୁଲାଯାଏ। ଶୋଭାଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ କୁମ୍ଭୀରର ପାଟିକୁ ରଶିରେ ବାନ୍ଧି ରଖାଯାଏ, ଯାହାଦ୍ୱାରା କାହାର କୌଣସି କ୍ଷତି ନ ହୁଏ। ସମସ୍ତ ରୀତିନୀତି ଶେଷ ହେବା ପରେ ଆସେ ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ। ମେୟର ତାଙ୍କ 'କୁମ୍ଭୀର ବଧୂ'ଙ୍କୁ ଚୁମ୍ବନ ଦେଇ ବିବାହ ରୀତି ସମ୍ପୂର୍ଣ୍ଣ କରନ୍ତି। ଏହି ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଛି । ସ୍ଥାନୀୟ ଲୋକଙ୍କ ପାଇଁ ଏହି ଚୁମ୍ବନ କେବଳ ଏକ ବିବାହ ରୀତି ନୁହେଁ, ବରଂ ପ୍ରକୃତିର ସୁରକ୍ଷା, ପରିବେଶ ପ୍ରତି ସମ୍ମାନ ଏବଂ ସମୃଦ୍ଧିର ଏକ ପବିତ୍ର ପ୍ରତିଜ୍ଞା।

ଅଧିକ ପଢନ୍ତୁ- E-25 Petrol: E-25 ପେଟ୍ରୋଲକୁ ନେଇ ବଢ଼ିଲା ସନ୍ଦେହ ! ମାଇଲେଜ୍ କମିବ ନା ଇଞ୍ଜିନର ହେବ କ୍ଷତି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।