07 JULY 2026

Welcome!

Unlock your personalized experience.
Sign Up

Kerala Wayanad Landslide: ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନ; ସୁଡ଼ଙ୍ଗ ମାଟି ଧସି ଜଣେ ମୃତ, ୭ ନିଖୋଜ, ଠିକାଦାରଙ୍କ ଉପରେ ବର୍ଷିଲେ ସିଏମ୍‌

Jul 07, 2026 - 16:28
Kerala Wayanad Landslide: ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନ; ସୁଡ଼ଙ୍ଗ ମାଟି ଧସି ଜଣେ ମୃତ, ୭ ନିଖୋଜ, ଠିକାଦାରଙ୍କ ଉପରେ ବର୍ଷିଲେ ସିଏମ୍‌

କେରଳ, ୭।୭: କେରଳର ୱାୟନାଡ଼ ଜିଲ୍ଲାରୁ ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । ମଙ୍ଗଳବାର ଏକ ଭୟଙ୍କର ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଥିସହ ୭ ଜଣ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି । ୱାୟନାଡ଼ର କଲ୍ଲାଡି ସ୍ଥିତ ମୀନାକ୍ଷୀ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ କୋଜିକୋଡ୍ ଏବଂ ୱାୟନାଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରସ୍ତାବିତ ସୁଡ଼ଙ୍ଗ ସଡ଼କ ପ୍ରକଳ୍ପର କାମ ଚାଲିଥିଲା । ମିଳିଥିବା ସୂଚନା ମୁତାବକ, ନିର୍ମାଣ ସ୍ଥଳରେ ସୁଡ଼ଙ୍ଗ ଖୋଦେଇ ପରେ ବହୁ ପରିମାଣର ମାଟି ଗଦା କରି ରଖାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି ମାଟି ଗଦା ହଠାତ୍ ଧସିଯାଇଥିଲା । ମାଟି ଅତଡ଼ା ଏତେ ଜୋରରେ ଖସିଥିଲା ଯେ ଏହାର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ସେଠାରେ ଲାଗିଥିବା ଲୁହା ବ୍ୟାରିକେଡ୍ ମଧ୍ୟ ଭାସିଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଭି. ଡି. ସତୀଶନ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭି. ଡି. ସତୀଶନ ଏହି ଦୁର୍ଘଟଣା ପାଇଁ ସିଧାସଳଖ ଠିକାଦାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଲୋକନିର୍ମାଣ ବିଭାଗ (PWD) ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସ୍ଥାନରୁ ମାଟି ଓ ଆବର୍ଜନା ହଟାଇବା ପାଇଁ ଠିକାଦାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଠିକାଦାରମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇନଥିଲେ ।" ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପାଣିପାଗ ସୂଚନା ନ ମିଳିବା ଏହି ଦୁର୍ଘଟଣାର କାରଣ ନୁହେଁ, ବରଂ ସଠିକ୍ ସମୟରେ ମାଟି ନ ହଟାଇବା ହିଁ ଏହି ବଡ଼ ବିପତ୍ତି ଡାକି ଆଣିଛି । ବର୍ତ୍ତମାନ ବର୍ଷାର ପରିମାଣ ସାମାନ୍ୟ କମିଥିଲେ ମଧ୍ୟ କାଦୁଅ ଯୋଗୁଁ ଉଦ୍ଧାରକାରୀ ଦଳକୁ କାମ କରିବାରେ ବେଶ୍ ଅସୁବିଧାର ସାମନା କରିବାକୁ ପଡ଼ୁଛି । ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ୍, ଏସଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଆବଶ୍ୟକ ପଡ଼ିଲେ ସେନାର ସହାୟତା ନିଆଯିବ ବୋଲି ପ୍ରଶାସନ କହିଛି ।

ଏହା ବି ପଢ଼ନ୍ତୁ... ​​​​​​​Heavy rain ravages Maharashtra: ମହାରାଷ୍ଟ୍ରରେ ବର୍ଷା ଓ ଭୂସ୍ଖଳନର ମହାପ୍ରଳୟ; ୧୩ ମୃତ, ପାହାଡ଼ିଆ ଅଞ୍ଚଳ ପାଇଁ ‘ରେଡ୍ ଆଲର୍ଟ’

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ୱାୟନାଡ଼ ଏବଂ ଆଖପାଖ ଜିଲ୍ଲା ପାଇଁ 'ରେଡ୍ ଆଲର୍ଟ' ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୨୦୪ ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସେହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ସେଠାରେ ଶ୍ରମିକମାନେ କାମ କରୁନଥିଲେ । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ମଧ୍ୟରେ କିଛି ଇଞ୍ଜିନିୟର ଏବଂ ସୁରକ୍ଷା କର୍ମୀ ଥିବା ଆଶଙ୍କା କରାଯାଉଛି । ପ୍ରକାଶ ଥାଉ କି, ୨୦୨୪ ଜୁଲାଇ ମାସରେ ମଧ୍ୟ ଏହି ମେପ୍ପାଡି ପଞ୍ଚାୟତର ମୁଣ୍ଡକ୍କାଇ-ଚୂରଲମାଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟି ପ୍ରାୟ ୨୫୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଏହି ନୂଆ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମନରେ ପୁଣି ଥରେ ସେହି ପୁରୁଣା ଆତଙ୍କକୁ ସତେଜ କରିଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।