ବଦଳୁଛି ବିଶ୍ୱ ଶକ୍ତି ସମୀକରଣ: ହର୍ମୁଜ୍ରେ ଶାନ୍ତି ଫେରିଲେ ଭାରତକୁ ମିଳିବ କି ଆଶ୍ୱସ୍ତି?
ନନ୍ଦିଘୋଷ ବ୍ୟୁରୋ : ବିଶ୍ୱ ରାଜନୀତିରେ ବଦଳୁଛି ଶକ୍ତି ସମୀକରଣ। ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଝଟକା ଲାଗିବା ପରେ ଇରାନର ଆଭିମୁଖ୍ୟକୁ ନେଇ ବଢ଼ିଛି ଚର୍ଚ୍ଚା। ଆମେରିକାର ରାଜନୈତିକ ପରିସ୍ଥିତି ଇରାନ ସହ କୂଟନୈତିକ ସମ୍ପର୍କ ଉପରେ କି ପ୍ରଭାବ ପକାଇବ, ତାହା ଏବେ ବିଶ୍ୱର ନଜରରେ।
ଅନ୍ୟପଟେ ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନର ନିଷ୍ପତ୍ତି ଭାରତ ସମେତ ଅନେକ ଦେଶ ପାଇଁ ଗୁରୁତ୍ୱ ବହନ କରୁଛି। ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ପରିବହନ ମାର୍ଗ ହେଉଛି ହର୍ମୁଜ୍। ଏହି ସମୁଦ୍ରପଥରେ ଅସ୍ଥିରତା ଯୋଗୁଁ ଅଶୋଧିତ ତୈଳ ଓ ଏଲ୍ପିଜି ଯୋଗାଣ ପ୍ରଭାବିତ ହେବା ସହ ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧିର ଆଶଙ୍କା ରହିଛି।
ଭାରତ ନିଜର ତୈଳ ଆବଶ୍ୟକତାର ବଡ଼ ଅଂଶ ଆମଦାନୀ କରୁଥିବାରୁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ହେବା ଦେଶ ପାଇଁ ଆଶ୍ୱସ୍ତିକର ହୋଇପାରେ। ଏହାଦ୍ୱାରା ତୈଳ ଓ ଗ୍ୟାସ ଯୋଗାଣ ଉପରେ ଚାପ କମିବା ସହ ପରିବହନ ଖର୍ଚ୍ଚ ହ୍ରାସ ପାଇବାର ଆଶା ରହିଛି। ତେବେ ଭାରତ ଓ ଇରାନ ମଧ୍ୟରେ ଚାବାହାର ବନ୍ଦର ସମେତ ଅନେକ ରଣନୈତିକ ଓ ବାଣିଜ୍ୟିକ ସ୍ୱାର୍ଥ ଜଡ଼ିତ ରହିଛି। ତେବେ ଆମେରିକା ସହ ଭାରତର ଘନିଷ୍ଠ ସମ୍ପର୍କ ଥିବାରୁ ଉଭୟ ଦେଶ ସହ ସନ୍ତୁଳନ ରକ୍ଷା କରିବା ନୂଆଦିଲ୍ଲୀ ପାଇଁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ।
ଏବେ ପ୍ରଶ୍ନ ହେଉଛି, ଇରାନର ଏହି ଆଭିମୁଖ୍ୟ ଭାରତକୁ ଶକ୍ତି ସୁରକ୍ଷା କ୍ଷେତ୍ରରେ ଆଶ୍ୱସ୍ତି ଦେବ କି? ହର୍ମୁଜ୍ ପ୍ରଣାଳୀରେ ସ୍ଥାୟୀ ଶାନ୍ତି ଫେରିବ କି? ଏହାର ଉତ୍ତର ନିର୍ଭର କରିବ ଆମେରିକା-ଇରାନ ଆଲୋଚନା ଓ ଆଗାମୀ କୂଟନୈତିକ ପଦକ୍ଷେପ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
