ବଡଓଷା
ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ତଥା କଟକ ଜିଲ୍ଲା ଆଠଗଡ଼ ସ୍ଥିତ ମହାନଦୀ ପଠାରେ ବିରାଜମାନ ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିରେ ଅତ୍ୟନ୍ତ ଭକ୍ତି, ନିଷ୍ଠା ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରସିଦ୍ଧ ‘ବଡ଼ ଓଷା’ ପାଳିତ ହୋଇଥାଏ । ଏହି ପବିତ୍ର ପର୍ବ ପାଳନ ଅବସରରେ ଭୋର ସମୟରୁ ମନ୍ଦିରର ଦ୍ୱାର ଫିଟାଯାଇ ବାବାଙ୍କ ମଙ୍ଗଳ ଆଳତି, ମଇଲମ, ଅବକାଶ ଏବଂ ସ୍ୱତନ୍ତ୍ର ବଡ଼ସିଂହାର ବେଶ ସମ୍ପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ଯେଉଁଥିରେ ସାମିଲ ହେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳେ । ବ୍ରତଧାରୀମାନେ ଦିନସାରା ଉପବାସ ରହି ମନ୍ଦିର ବେଢ଼ାରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିବା ସହ ବଡ଼ ଓଷା ବ୍ରତ କଥା ପାଠ ଓ ଶ୍ରବଣ କରି ନିଜ ପରିବାରର ମଙ୍ଗଳ କାମନା କରିଥାନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଦେବରାଜ ଇନ୍ଦ୍ରଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଐରାବତ ହାତୀ ଏହି ପବିତ୍ର ତିଥିରେ ବାବା ଧବଳେଶ୍ୱରଙ୍କୁ ଆରାଧନା କରି ଶାପମୁକ୍ତ ହୋଇଥିବାରୁ ଏହି ପର୍ବର ନାମ ‘ବଡ଼ ଓଷା’ ହୋଇଛି । ସେହି ପରମ୍ପରା ଅନୁସାରେ ମଧ୍ୟରାତ୍ରିରେ ପୂଜକ ସେବାୟତମାନଙ୍କ ଦ୍ୱାରା ଅରୁଆ ଚାଉଳ ଚୂନା, ଗୁଡ଼, ନଡ଼ିଆ, ପାଚିଲା କଦଳୀ ଓ ଘିଅରେ ପ୍ରସ୍ତୁତ ପ୍ରସିଦ୍ଧ ‘ଗଜଭୋଗ’ ସହ ‘ତରଣ’ (ଏକ ପ୍ରକାର ପବିତ୍ର ପାନୀୟ) ପ୍ରସ୍ତୁତ କରାଯାଇ ଗର୍ଭଗୃହରେ ବାବାଙ୍କ ନିକଟରେ ସମର୍ପଣ କରାଯାଇଥାଏ । ମଧ୍ୟରାତ୍ରିର ଏହି ସ୍ୱତନ୍ତ୍ର ନୀତିକାନ୍ତି ଓ ଭୋଗ ଲାଗି ସମ୍ପନ୍ନ ହେବା ପରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନଙ୍କୁ ଗଜଭୋଗ ବଣ୍ଟନ କରାଯାଏ, ଯାହାକୁ ପାଇବା ପରେ ବ୍ରତଧାରୀମାନେ ନିଜର ଉପବାସ ଭଙ୍ଗ କରିଥାନ୍ତି । ଏହି ଦିନ ଓଡ଼ିଶାର କୋଣଅନୁକୋଣରେ ଥିବା ଶିବ ମନ୍ଦିରରେ ଭିଡ ଯମିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
