ଜାତୀୟ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍: ୨୦୦ ମିଟରରେ ଅନିମେଶଙ୍କୁ ଏସିଆଡ୍ ଟିକେଟ
ଭୁବନେଶ୍ୱର, ୨୬/୦୬: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ର ଦ୍ୱିତୀୟ ଦିନରେ ପୁରୁଷ ୨୦୦ ମିଟରରେ ଓଡ଼ିଶାକୁ ୨ଟି ପଦକ ମିଳିଛି । ଅନିମେଶ କୁଜୁର ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିବା ସହ ଆଗାମୀ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୨୦.୭୪ ସେକେଣ୍ଡ ନେଇଥିଲେ । ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଟାଇମିଂ ରହିଛି ୨୦.୮୮ ସେକେଣ୍ଡ । ଡିଏମ୍ ଜୟରାମ ୨୦.୯୭ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଥିଲେ ।
ମହିଳା ପୋଲଭଲ୍ଟରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ୪.୨୫ ମିଟର ସହ ନୂଆ ଜାତୀୟ ରେକର୍ଡ (୪.୨୩ ମିଟର) ଓ ମିଟ୍ ରେକର୍ଡ କରିବା ସହ ଏସୀୟ କ୍ରୀଡ଼ାକୁ (୪.୧୦ ମିଟର) ଯୋଗ୍ୟତା ହାସଲ କରିଛନ୍ତି । ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବ ବାରନିକା ଏଲନଗୋଭାନ (୪.୨୦ ମିଟର), ନିତିକା ଅକାରେ (୪.୧୦ ମିଟର) ଏସୀୟ କ୍ରୀଡ଼ା ଟିକେଟ୍ ହାସଲ କରିଛନ୍ତି । ପୁରୁଷ ହାଫ୍ ମାରାଥନରେ ତାମିଲନାଡୁର ସେରଭିନ (୧:୩୧:୪୯.୦୦ ) ସ୍ୱର୍ଣ୍ଣ ଜିତିଥିଲେ ।
ପୁରୁଷ ଡିସ୍କସ ଥ୍ରୋରେ କିରପାଲ ସ(୫୭.୩୭ ମିଟର) ସ୍ୱର୍ଣ୍ଣ ପଦକ ପାଇଥିଲେ । ମହିଳା ସଟପୁଟରେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଏସିଆଡ୍ ଟିକେଟ୍ (୧୬.୨୫ ମିଟର) ପାଇଛନ୍ତି । ମନପ୍ରୀତ କୌର (୧୭.୭୫ ମିଟର), କ୍ରିଷ୍ଣା ଜୟ ଶଙ୍କର (୧୬.୯୬ ମିଟର) ଓ ସ୍ରିଷ୍ଟି ଭିଜ (୧୬.୯୬ ମିଟର) ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।
ଅଧିକ ପଢ଼ନ୍ତୁ :- Ireland vs India: ଆୟର୍ଲାଣ୍ଡ ଓ ଭାରତ ପ୍ରଥମ ଟି-ଟ୍ବେଣ୍ଟି: ଆୟରଙ୍କ କ୍ୟାପଟେନ୍ସି ଡେବ୍ୟୁ, ଖେଳିପାରନ୍ତି ବ୍ୟାଟିଂ ବିସ୍ମୟ ବୈଭବ
ମହିଳା ୮୦୦ ମିଟରରେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିବା ଗୋମତୀ ଜୟରାମନ, ପୂଜା ଓ ଲିଲି ଦାସ ଏସୀୟ କ୍ରୀଡ଼ାକୁ ( ୨:୦୫.୨୧) ଯୋଗ୍ୟତା ହାସଲ କରିଛନ୍ତି । ପୁରୁଷ ୮୦୦ ମିଟରରେ ମହମ୍ମଦ ଅଫଜଲ ୧:୪୮.୫୭ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତି ଏସିଆଡ୍ ଟିକେଟ୍ ( ୧:୪୮.୮୦) ପାଇଛନ୍ତି ।
ମହିଳା ୨୦୦ ମିଟରରେ ଏସିଆଡ୍ ଯୋଗ୍ୟତା ଟାଇମିଂ ରହିଛି ୨୩.୭୦ ସେକେଣ୍ଡ । ହରିତା ଭଦ୍ରା (୨୩.୧୪ ସେକେଣ୍ଡ), ଉନ୍ନତି ବଳନ୍ଦା (୨୩.୪୦ ସେକେଣ୍ଡ) ଓ ପ୍ରକୃତି ରୁପା ରାଓ (୨୩.୫୮ ସେକେଣ୍ଡ) ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତି ଏସିଆଡ୍ ଯୋଗ୍ୟତା ଲାଭ କରିଛନ୍ତି ।