ପ୍ରତ୍ୟୁଷା ନନ୍ଦଙ୍କ ହାତ ଧରିଲେ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ପରେ ପୁଣି ଚର୍ଚ୍ଚାରେ...
ଜଗତସିଂହପୁର,୨୫/୦୬: ପ୍ରେମ-ପ୍ରତାରଣା ଭଳି କାରଣକୁ ନେଇ ୪ ବର୍ଷ ତଳେ ଚର୍ଚ୍ଚା ଘେରରେ ଥିବା ତିର୍ତ୍ତୋଲର ପୂର୍ବତନ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଭୁବନେଶ୍ୱରର କଳ୍ପନା ଛକସ୍ଥିତ ଏକ ହୋଟେଲ ଏହି ବିବାହ ସଂପନ୍ନ ହେବା ସହ ସବୁ ଦିନ ପାଇଁ ପ୍ରତ୍ୟୁଷା ନନ୍ଦ (ଆନି) ଙ୍କ ହାତ ଧରିଛନ୍ତି ବିଜୟ । ବିବାହ ଉତ୍ସବରେ ତିର୍ତ୍ତୋଲ, ବିରିଡ଼ି, ଜଗତସିଂହପୁର ଅଞ୍ଚଳର କିଛି ବଛା ବଛା ଲୋକ ସାମିଲ ହୋଇଥିଲେ । ପୁଣି ଅନେକଙ୍କୁ ଆମନ୍ତ୍ରଣ କରାଯାଇ ନଥିବା କହିଛନ୍ତି ତାଙ୍କର କିଛି ନିକଟତମ ବନ୍ଧୁ ଓ ଦୃଢ଼ ସମର୍ଥକ । ବୁଧବାର ଏହି ନବଦମ୍ପତିଙ୍କ ବିବାହ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହୋଇଛି ।
ଅଧିକ ପଢ଼ନ୍ତୁ :- Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା, ପୁଲିସ ଜେରା ବେଳେ ଗୁମର ଖୋଲିଲେ ପ୍ରେମିକ ଭୀମସେନ
୪ ବର୍ଷ ତଳେ ବିଜୟ ଶଙ୍କର ଜଗତସିଂହପୁର ସହରର ଅନ୍ୟ ଜଣେ ବାନ୍ଧବୀଙ୍କୁ କୋର୍ଟ ମ୍ୟାରେଜ୍ କରିବାକୁ ରାଜି ହୋଇଥିଲେ । ସେତେବେଳେ ମଧ୍ୟ ବିଜୟ ଓ ସଂପୃକ୍ତ ବାନ୍ଧବୀଙ୍କ ଯୁଗଳବନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଉକ୍ତ କାରଣକୁ ନେଇ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟଙ୍କ ରାଜନୈତିକ କ୍ୟାରିୟର ଯଥେଷ୍ଟ ପ୍ରଭାବିତ ହୋଇଥିଲା । ସେ ସମୟରେ ଉଭୟ ବିଜୟ ଓ ତାଙ୍କ ବାନ୍ଧବୀ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ ଦପ୍ତରରେ ବିବାହ ନିମନ୍ତେ ଆବେଦନ କରିଥିଲେ । ଉଭୟ ପକ୍ଷର ପରିବାର ବର୍ଗଙ୍କ ଉପସ୍ଥିତିରେ ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ କରାଯାଇଥିଲା । ଦସ୍ତାବିଜରେ ଦସ୍ତଖତ କରି ସାରିବା ପରେ ତତ୍କାଳୀନ ବିଧାୟକ ବିଜୟ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ନିଜର ଅସୁସ୍ଥ ମା’ଙ୍କ ନିକଟକୁ ଚାଲି ଯାଇଥିଲେ । ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ମା’ ଅସୁସ୍ଥ ଥିବା ଏବଂ ହସ୍ପିଟାଲ୍ରୁ ବାରମ୍ବାର ଫୋନ୍ ଆସୁଥିବା କଥା କହି ଅଧିକ କିଛି ଆଲୋଚନା କରିବା ସମ୍ଭବ ନୁହେଁ କହିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ସଂପୃକ୍ତ ବାନ୍ଧବୀ ଜଗତସିଂହପୁର ଥାନାରେ ବିଜୟ ଶଙ୍କରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ । ଏତଲାରେ ବିଜୟ ଶଙ୍କରଙ୍କ ବିରୋଧରେ ସେକ୍ସ ର୍ୟାକେଟ ଚଳାଇବା, ଦୁଷ୍କର୍ମ ଅଭିଯୋଗ ଉଲ୍ଲେଖ କରାଯାଇଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସେ ସମୟରେ କିଛି ରାଜନୈତିକ ଦଳ ବିଜୟ ଶଙ୍କରଙ୍କୁ ଟାର୍ଗେଟ କରିଥିଲେ । ପାଲଟା ଜବାବ ସ୍ୱରୂପ ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଥିଲେ ଯୁବ-ଛାତ୍ର ବିଜେଡି ସହ ମହିଳା ବିଜେଡି । ବିଜୟ ଶଙ୍କର ଓ ତାଙ୍କ ବାନ୍ଧବୀଙ୍କ ଭିତରେ ଚାଲିଥିବା ଏହି ଆଇନଗତ ଲଢେଇକୁ ନେଇ ଜଗତସିଂହପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଜେଡିର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଥିଲା ।