Bengaluru Family Drowned: ଜୀବନର ଶେଷ ସେଲଫି ! କାବେରୀ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଗୋଟିଏ ପରିବାରର ୪ ମହିଳାଙ୍କ ସହ ଡ୍ରାଇଭର

Jun 25, 2026 - 10:10
Bengaluru Family Drowned: ଜୀବନର ଶେଷ ସେଲଫି ! କାବେରୀ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଗୋଟିଏ ପରିବାରର ୪ ମହିଳାଙ୍କ ସହ ଡ୍ରାଇଭର

​​​​​​​କର୍ଣ୍ଣାଟକ, ୨୫।୬: ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମୁଥାଠୀ'ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଏହି ପରିବାର ବେଙ୍ଗାଲୁରୁରୁ ଏକ କାର୍ ଭଡ଼ାରେ ନେଇ ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ମନ୍ଦିର ଦର୍ଶନ ସାରି ସମସ୍ତେ ପାଖରେ ବହୁଥିବା କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ନିଜ ମୋବାଇଲ୍‌ରେ କିଛି ସ୍ମୃତି କଏଦ୍ କରିବାକୁ ଚାହୁଁଥିଲେ, ହେଲେ ସେହି ସେଲଫି ଶେଷରେ ସେମାନଙ୍କ ଜୀବନର ଶେଷ ସେଲଫି ପାଲଟିଗଲା ।

ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ବୁଡ଼ିଗଲେ:

ଘଟଣାଟି ଅତ୍ୟନ୍ତ କରୁଣ ଥିଲା । ନଦୀ କୂଳରେ ଫଟୋ ଉଠାଉଥିବା ସମୟରେ ପ୍ରଥମେ ୫୦ ବର୍ଷୀୟ ମହିଳା ବିଜୟମ୍ମାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ନଦୀର ଗଭୀର ପାଣିକୁ ଖସି ପଡ଼ିଥିଲେ । ବିଜୟମ୍ମାଙ୍କୁ ବୁଡ଼ିଯାଉଥିବାର ଦେଖି ପରିବାରର ବାକି ସଦସ୍ୟ ଏବଂ ସେମାନଙ୍କ କାର୍ ଡ୍ରାଇଭର ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ଚିତ୍କାର ଶୁଣି ରବି ନାମକ ଜଣେ ସ୍ଥାନୀୟ ଯୁବକ ମଧ୍ୟ ନଦୀକୁ ଡେଇଁଥିଲେ, କିନ୍ତୁ ସ୍ଥାନୀୟ ଲୋକେ କେବଳ ରବିଙ୍କୁ ହିଁ ସୁରକ୍ଷିତ ଉଦ୍ଧାର କରିପାରିଥିଲେ । ବାକି ୫ ଜଣ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।