07 JULY 2026

Welcome!

Unlock your personalized experience.
Sign Up

ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

Jul 07, 2026 - 20:00
ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

ଭୁବନେଶ୍ୱର, ୭।୭: ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳପଥ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ବର୍ତ୍ତମାନ ନିୟମିତ ଭାବେ ଚଳାଚଳ କରିବ। ଏହି ଟ୍ରେନ ୧୧ ଜୁଲାଇ ଠାରୁ ପୁରୀରୁ ଏବଂ ୧୨ ଜୁଲାଇ ଠାରୁ କୋରାପୁଟରୁ ନିୟମିତ ଭାବରେ ଚଳାଚଳ କରିବ।ପୁରୀ ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ସୋମବାର ଏହି ଟ୍ରେନର ଶୁଭାରମ୍ଭ କରିଥିଲେ।

ଟ୍ରେନ ନଂ. ୧୮୪୦୭ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ। ଟ୍ରେନଟି ସକାଳ ୭ଟା ପୁରୀରୁ ଛାଡ଼ି ସେହିଦିନ ରାତି ୧୧:୩୦ରେ କୋରାପୁଟରେ ପହଞ୍ଚିବ। ସେହିପରି ଟ୍ରେନ ନଂ. ୧୮୪୦୮ କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ୧୨ ଜୁଲାଇ ୨୦୨୬ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ। ଏହା ସକାଳ ୫ଟାରେ କୋରାପୁଟରୁ ଛାଡ଼ି ସେହିଦିନ ରାତି ୧୦:୨୦ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ରଇରାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ଼, କାକିରିଗୁମ୍ମା ଏବଂ ଦାମନଯୋଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ଏହା ଦ୍ୱାରା ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଅଧିକ ସୁବିଧାଜନକ ରେଳ ସଂଯୋଗ ପାଇପାରିବେ।

ଏହି ଟ୍ରେନରେ ସମୁଦାୟ ୧୮ଟି ଆଧୁନିକ ଏଲ୍ଏଚ୍ବି କୋଚ୍ ରହିବ। ସେଥିରେ ଗୋଟିଏ ଏସି ଦ୍ୱିତୀୟ ଶ୍ରେଣୀ କୋଚ୍, ତିନୋଟି ଏସି ତୃତୀୟ ଶ୍ରେଣୀ କୋଚ୍, ଆଠଟି ଶୟନଯାନ କୋଚ୍, ଚାରିଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ ବ୍ରେକ୍ ଭ୍ୟାନ୍ ଏବଂ ଗୋଟିଏ ଦିବ୍ୟାଙ୍ଗ-ଅନୁକୂଳ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ କୋଚ୍ ରହିଛି।

ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ଆରମ୍ଭ ଓଡ଼ିଶାରେ ଯାତ୍ରୀ ସୁବିଧା ବୃଦ୍ଧି ଏବଂ ରେଳ ସଂଯୋଗ ବିସ୍ତାର ଦିଗରେ ଭାରତୀୟ ରେଳପଥର ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଟ୍ରେନ୍ ସେବା ପର୍ଯ୍ୟଟନ, ତୀର୍ଥଯାତ୍ରା, ବାଣିଜ୍ୟ, ଶିକ୍ଷା ଏବଂ ସାମାଜିକ ଓ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଦ୍ରୁତ ଓ ସୁବିଧାଜନକ ରେଳ ସଂଯୋଗ ପ୍ରଦାନ କରିବ।

ଆହୁରି ପଢନ୍ତୁ : ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍କାଏ ୱାକ୍ , ଲମ୍ବ ରହିବ ୪ ଶହ ୫୦ ମିଟର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।