ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

Jul 12, 2026 - 23:23
ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପକ୍କା କରିଛି।

ବେଲିଂଘମ ପ୍ରଥମାର୍ଦ୍ଧରେ ଗୋଲ କରି ମ୍ୟାଚ୍‌କୁ ବରାବର କରିବା ପରେ ଏକ୍ସଟ୍ରା ଟାଇମ୍‌ର ତୃତୀୟ ମିନିଟ୍‌ରେ ଗୋଲ ସ୍କୋର କରି ଇଂଲଣ୍ଡକୁ ଜିତାଇଛନ୍ତି। ରିୟଲ ମାଡ୍ରିଡ୍‌ ଷ୍ଟାର ଟୁର୍ନାମେଣ୍ଟରେ ୬ ଗୋଲ କରି ଗୋଲ୍ଡେନ ବୁଟ୍‌ ରେସରେ ନିଜ ଦେଶର ହାରି କେନଙ୍କ ସମକକ୍ଷ ହୋଇଛନ୍ତି।

ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଫ୍ରାନ୍ସ କିଲିଆନ ଏମ୍‌ବାପେ ୮ ଗୋଲ ସହ ମିଳିତ ଶୀର୍ଷରେ ରହିଛନ୍ତି। ଏଥିପୂର୍ବରୁ ସହ ଆୟୋଜକ ମେକ୍ସିକୋ ବିପକ୍ଷ ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ବେଲିଂଘମ ଡବଲ ଗୋଲ ଦେଇଥିଲେ।

୨୦୧୮ ବିଶ୍ୱକପ୍‌ ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ୨୮ ବର୍ଷର ବ୍ୟବଧାନରେ ପ୍ରଥମ ଥର ବିଶ୍ୱକପ୍‌ ଖେଳୁଥିବା ନରଓ୍ବେ ଇତିହାସରେ ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲ ଖେଳିଥିଲା। ୧୯୬୬ ସଂସ୍କରଣର ଚାମ୍ପିୟନ ଇଂଲଣ୍ଡ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।