ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା
ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ, ଜୀବିକାର ବିକାଶ ଏବଂ ନିରନ୍ତର ସମାଜସେବା କ୍ଷେତ୍ରରେ ଦୀର୍ଘ ୨୮ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୬ ଅଧୀନରେ ଦେଶୀ ଧାକଡ଼ନୟୀ ପହେଚାନ ତଥା ଓ୍ବମେନ୍ସ ଚେଞ୍ଜ ମେକର ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଶନିବାର ମୁମ୍ବାଇସ୍ଥିତ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ପରିସରରେ ଆୟୋଜିତ ଏକ ସମାରୋହରେ ଇଥେରୱେର ଏଆଇ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ (ଆଇଜିଏସ୍)ର ଚିଫ୍ ଅପରେଟିଂ ଅଫିସର ଡ.ସଞ୍ଜୀବ ଷଡ଼ଙ୍ଗୀ, ନେହାଲ ଦାସ ଏବଂ ମୟଙ୍କ ମଜୁମଦାର ଉପସ୍ଥିତ ରହି ଲକ୍ଷ୍ମୀପ୍ରିୟାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ।
ସମାରୋହରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସିନିୟର ଆଡ୍ଭାଇଜର ଡ.ଭାସ୍କର ଚାଟାର୍ଜୀ, ହେଡ ଅଫ ସଷ୍ଟେନେବିଲିଟି ଆଣ୍ଡ ଷ୍ଟ୍ରାଟେଜି ଡେଭଲପମେଣ୍ଟ ଡ.ହରିଶ ଆହୁଜା ଏବଂ ନାବାର୍ଡର କ୍ଲାଇମେଟ ଫାଇନାନ୍ସର ଚିଫ ଜେନେରାଲ ମ୍ୟାନେଜର ଡ.ସଞ୍ଜୀବ ରୋହିଲା ପ୍ରମୁଖ ଯୋଗଦେଇଥିଲେ।
ପ୍ରକାଶ ଯେ, ମୋଟ ୯୩ଟି ଆବେଦନ ମଧ୍ୟରୁ ୧୭ ଜଣଙ୍କୁ ବ୍ୟକ୍ତିଗତ ଓ ସଂସ୍ଥାଗତ ଭାବରେ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳର ନିପଟ ମଫସଲ ଗ୍ରାମ ମହାଗୁଡ଼ିର ଲକ୍ଷ୍ମୀପ୍ରିୟା ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।
ଲକ୍ଷ୍ମୀପ୍ରିୟା ଏହି ସଫଳତା ପରେ ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ ଏବଂ ସିଆଇଆଇର ସହଯୋଗ ଓ ପ୍ରେରଣା ପାଇଥିବାରୁ ତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ୧୫ ମଇରେ ନୂଆଦିଲ୍ଲୀରେ ସିଆଇଆଇ ଫାଉଣ୍ଡେଶନ ପକ୍ଷରୁ ତାଙ୍କୁ ଆଦର୍ଶ ମହିଳା ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଲକ୍ଷ୍ମୀପ୍ରିୟା ନିଜ ସଫଳତାର ଶ୍ରେୟ ତାଙ୍କର ୨ ପୁଅ ରାହୁଲ ଓ ରୋହନଙ୍କ ନିରନ୍ତର ସହଯୋଗ ପାଉଥିବା ଓ ତାଙ୍କ ବାପା କୈଳାସ ଚନ୍ଦ୍ର ପରିଡ଼ା, ମା’ ମିନତି ପରିଡ଼ା ଏବଂ ଭାଇ ଅଜିତ ପରିଡ଼ାଙ୍କ ପ୍ରମୁଖ ପ୍ରେରଣା ଯୋଗାଉଥିବା କହିଛନ୍ତି। ଏନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।