ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ସମର୍ଥକମାନଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ଆସି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ। ପରେ ବିଧିବଦ୍ଧ ଭାବେ ସେ ଭାଜପାରେ ମିଶିଥିଲେ।
ସେ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି)ର ବିଧାୟକ ଥିଲେ ଏବଂ ଚୌଦ୍ଵାର-କଟକ ଆସନରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସହ ବହୁ ସମର୍ଥକ ଏବଂ କିଛି କାଉନସିଲର୍/କର୍ପୋରେଟର୍ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। କିଛିଦିନ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ସ୍ୱାଧୀନ ଭାବେ ରାଜନୀତି କରୁଥିଲେ। ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କ ବିଷୟରେ ମଧ୍ୟ ଜୋର୍ଦାର ଚର୍ଚ୍ଚା ହେଉଛି।
ସୂଚନା ଥାଉକି, ଶନିବାର ପୂର୍ବାହ୍ନରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କୁ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। କିଛି ମାସ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଭାତଙ୍କୁ ବିଜେଡି ବହିଷ୍କୃତ କରିଥିଲା। ସେହପିରି ଗତ ରାଜ୍ୟ ସଭା ନିର୍ବାଚନ ସମୟରେ କ୍ରସ୍ଭୋଟିଂ କରି ସୌଭିକ୍ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ସୌଭିକ୍ ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ବର୍ତ୍ତମାନ ଭାଜପାରେ ମିଶି ନ ପାରନ୍ତି। ମାତ୍ର କାହିଁକି ସେ ଭାଜପା କାର୍ଯ୍ୟାଳୟକୁ ଆସିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି। ସୌଭିକ୍ ଯଦି ବର୍ତ୍ତମାନ ଦଳ ପରିବର୍ତ୍ତନ କରନ୍ତି ତେବେ ତାଙ୍କର ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେଣୁ ସେ ନିଜେ ଭାଜପାରେ ଯୋଗ ଦେବା ପରିବର୍ତ୍ତେ ତାଙ୍କ ପିତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଶାସକ ଦଳରେ ସାମିଲ ହୋଇଛନ୍ତି। ପ୍ରଭାତ ବିଶ୍ୱାଳ ଦଳରେ ମିଶିବା ନେଇ ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ଏହା ବିଶ୍ୱର ସର୍ବବୃହତ ଦଳ। ତେଣୁ ଯିଏ ଭାଜପାରେ ଚାହିଁବେ ମିଶିପାରିବେ। ପ୍ରଭାତ ମିଶିବା ନେଇ ଦଳର ରାଜ୍ୟ ନେତୃତ୍ୱଙ୍କ ନିଷ୍ପତ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଛନ୍ତି, ପ୍ରଭାତ ବିଶ୍ୱାଳ ଯେତେବେଳେ ନ ଥିଲେ ସେହି ସମୟରେ ମଧ୍ୟ ଦଳ ସୁଦୃଢ ଥିଲା। ସିଏ ଗଲେ ତାଙ୍କ ଭଳିଆ ୧୦ ଜଣ ନେତା ବାହାରିବେ। ପ୍ରଭାତ ଗଲେ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ। ଯିଏ ଦଳ ଛାଡୁଛି ତାକୁ ନେଇ ମାସେ କିମ୍ବା ଦୁଇ ମାସ ଆଲୋଚନା ହେଉଛି, ତା’ପରେ କୁଆଡେ ସେମାନେ ଯାଉଛନ୍ତି ଆଉ ଦେଖା ମିଳୁନାହାନ୍ତି ବୋଲି ପ୍ରମିଳା କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।