ଧର୍ମାନ୍ତରୀକରଣ ବିରୋଧରେ ଆଇନ ଆଣିବେ ପଶ୍ଚିମବଙ୍ଗ ସରକାର ; ୟୁସିସି ମଧ୍ୟ ହେବ ଲାଗୁ : ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା
କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। କହିଛନ୍ତି, ତାଙ୍କ ସରକାର ଧର୍ମାନ୍ତରୀକରଣ ବିରୁଦ୍ଧରେ ଏକ କଡ଼ା ଆଇନ ପ୍ରଣୟନ କରିବେ, ଏହାସହ ରାଜ୍ୟରେ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ବଙ୍ଗଳାର ସାଂସ୍କୃତିକ ପରିଚୟକୁ ରକ୍ଷା କରିବା ପାଇଁ, ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ (UCC) ଲାଗୁ କରାଯିବ।
'ବନ୍ଦେ ମାତରମ୍'ର ୧୫୦ତମ ବାର୍ଷିକୀ ଅବସରରେ ରବୀନ୍ଦ୍ର ସଦନରେ ଏକ କାର୍ଯ୍ୟକ୍ରମରେ ଉଦବୋଧନରେ ଅଧିକାରୀ ଅଭିଯୋଗ କରିଥିଲେ - ରାଜ୍ୟର ଅନ୍ତର୍ଜାତୀୟ ସୀମା ଦେଇ ଅନୁପ୍ରବେଶ ଧର୍ମ ବଦଳାଇବା, ଲଭ୍ ଜିହାଦ ଏବଂ ଡେମୋଗ୍ରାଫିକ୍ ପରିବର୍ତ୍ତନରେ ସହାୟକ ହୋଇଛି, ଯାହା ପଶ୍ଚିମବଙ୍ଗର ସାମାଜିକ ଗଠନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।
ଶୁଭେନ୍ଦୁ ଅଧିକାରୀ କହି ଥିଲେ, ଆମକୁ କିଛି ସମୟ ଦିଅନ୍ତୁ। ପଶ୍ଚିମବଙ୍ଗରେ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଏକ କଡ଼ା ଆଇନ ଏବଂ ଏକ ୟୁନିଫର୍ମ ସିଭିଲ କୋଡ୍ ପ୍ରଚଳନ କରାଯିବ।
ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ, ତାଙ୍କ ସରକାର ବର୍ଡର ଭିତ୍ତିଭୂମି ପାଇଁ ଆବଶ୍ୟକୀୟ ଜମି ଯୋଗାଇ ସୀମା ସୁରକ୍ଷାକୁ ସୁଦୃଢ଼ କରିଛନ୍ତି। ସେ କହିଥିଲେ - ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ମୂଳସ୍ଥାନକୁ ଫେରାଇବା ପାଇଁ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହୋଲ୍ଡିଂ ସେଣ୍ଟର ସ୍ଥାପନ କରାଯାଇଛି। ସେ କହିଥିଲେ, ଯେଉଁମାନେ ଅବୈଧ ଭାବରେ ପ୍ରବେଶ କରୁଛନ୍ତି ଏବଂ ଭାରତର ସଂସ୍କୃତି, ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଭଳି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ସେମାନଙ୍କୁ ଫେରାଇ ଦିଆଯିବ। ନାଗରିକତା (ସଂଶୋଧନ) ଆଇନ (CAA) ଅଧୀନରେ ଥିବା ଅବୈଧ ପ୍ରବାସୀ ଏବଂ ଶରଣାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ଅଧିକାରୀ କହିଛନ୍ତି, ଯେଉଁ ହିନ୍ଦୁ ଧାର୍ମିକ ନିର୍ଯାତନାର ସମ୍ମୁଖୀନ ହେବା ପରେ ଭାରତ ଆସିଛନ୍ତି , ସେମାନେ ଅନୁପ୍ରବେଶକାରୀ ନୁହଁନ୍ତି ଏବଂ ସେମାନଙ୍କୁ ଆଇନ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବ।
ସେ କହିଥିଲେ, ତାଙ୍କ ସରକାର ପଶ୍ଚିମବଙ୍ଗର ସାଂସ୍କୃତିକ ପରିଚୟ କିମ୍ବା ଜାତୀୟ ଚରିତ୍ରକୁ ଦୁର୍ବଳ କରିବାକୁ କୌଣସି ଶକ୍ତିକୁ ଅନୁମତି ଦେବ ନାହିଁ ଏବଂ ସେ ଏହି ରାଜ୍ୟକୁ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ ଭାବରେ ଦର୍ଶାଇ ଥିଲେ।