ଦକ୍ଷିଣ ଓଡ଼ିଶାକୁ ଭସାଇଲା ‘ଅର୍ଣ୍ଣବ’…
ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରରେ ମାଡ଼ ହେଲା ଅର୍ଣ୍ଣବ । ଓଡ଼ିଶାରେ ପ୍ରବଳ ବର୍ଷା । ଉବୁଟୁବୁ ଦକ୍ଷିଣ ଓଡ଼ିଶା । ଗଞ୍ଜାମରୁ ଗଜପତି, କନ୍ଧମାଳରୁ ବୌଦ୍ଧ । ସବୁଠି ପ୍ରବଳ ବର୍ଷା । ଜଳାର୍ଣ୍ଣବ ହେଲା ଅନେକ ସହର । ଉଛୁଳିଲା ଋଷିକୂଲ୍ୟା, ବଡ଼ନଦୀ, ବଂଶଧାରା, ଘୋଡାହାଡ ସମେତ ବହୁ ନଦୀ । ଗାଁ ଗାଁକୁ ମାଡ଼ି ଆସିଲା ପାଣି । ଜଳବନ୍ଦୀ ତଳିଆଞ୍ଚଳ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସିକା, ଶେରଗଡ଼, ପାତ୍ରପୁର, ହିଞ୍ଜିଳି, ପୁରୁଷୋତ୍ତମପୁର ଭଳି ଅନେକ ସହରରେ ବୁଡ଼ି ଯାଇଛି ଦୋକାନ ବଜାର । ବାହ୍ୟ ଜଗତରୁ ଯୋଗଯୋଗ ବିଛିନ୍ନ ହୋଇଛି । ଜତୀୟ ରାଜପଥରେ ପାଣି ଚାଲିବା ଯୋଗୁ ଦୁଇ ପଟରେ ଗାଡି ଘୋଡା ଅଟକି ରହିଛି । ମୋହନା ଠାରୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଧୋଇହୋଇଯାଇଛି । ଲମତାପୁଟ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ଛୁଇଁବା ପରେ ୮ଟି ଗେଟ ମାଧ୍ୟମରେ ବନ୍ୟାଜଳ ଛଡାଯାଉଛି । ସେହିଭଳି ମାଛକୁଣ୍ଡର ଡି- ଡ୍ୟାମ ଖୋଲି ଜଳ ନିଷ୍କାସନ ଜାରି ରହିଛି । ତେବେ ଗଞ୍ଜାମରେ ପାଣିରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି । ୨ ହଜାର ଲୋକ ଜଳବନ୍ଦୀରେ ଥିବାବେଳେ ପ୍ରାୟ ୧୨୦ ଲୋକଙ୍କୁ ଏୟାର ଲିଫ୍ଟିଂ କରାଯାଇଛି । ଜଗମୋହନ PHC ରୁ ଧରାକୋଟ CHC ପର୍ଯ୍ୟନ୍ତ ବିପନ୍ନଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତରଣ କରାଯାଇଛି । ୪ ଜାଗାରେ ଏୟାର ଲିଫ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି ।
ବିପର୍ଯ୍ୟୟକୁ ଆହୁରି ଭୟଙ୍କର କରିଛି ଭୂସ୍ଖଳନ । ମାଟି ଅତଡା ଖସି ରାସ୍ତାରେ ପଡିବା ଯୋଗୁ କନ୍ଧମାଳର କଳିଙ୍ଗା ଘାଟିରେ ଯାତାୟାତ ଠପ । ଗଜପତି ଜିଲ୍ଲା ଚିତ୍ରାଙ୍ଗ ନିକଟରେ ପାହାଡରୁ ଅତଡା ଖସି ଅବରୋଧ ହୋଇଛି ଗଙ୍ଗାବଡ଼-କାଇଁପୁର ରୋଡ୍ । ସେହିଭଳି ମୋହନା ବ୍ଲକର ବାଲିବାଡ଼ ରାସ୍ତାରୁ ମଧ୍ୟ ମାଟି ଅତଡା ଖସି ଅବରୋଧ ହୋଇଛି ଘାଟି ରାସ୍ତା । ଫଳରେ ଏହି ରାସ୍ତାକୁ ସିଲ କରିଛି ପ୍ରଶାସନ । ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରୁନଥିବା ଜଣାପଡିଛି ।
ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ସୋରଡ଼ାରେ ୫୦୩.୮ ମିଲିମିଟର, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ଏବଂ ଗଜପତିର ମହେନ୍ଦ୍ରଗଡ଼ରେ ୪୫୮.୮ ମିଲିମିଟର ବର୍ଷା ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
