ଟି୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ
ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ ୬ ଉଇକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ୪ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରି ନେଇଥିଲା।
ପ୍ଲେୟର ଅଫ୍ ଦି ମ୍ୟାଚ ଏଲିସ ପେରୀ ୫୬ ଓ ଆଶଲେ ଗାର୍ଡନର ୫୩* ରନ୍ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗ୍ରୁପ୍-୧ରୁ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୧୦ ଓ ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ୬ ପଏଣ୍ଟ ସହ ବିଦା ହୋଇଛି। ଗ୍ରୁପ୍-୨ରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଯଥାକ୍ରମେ ୧୦ ଓ ୬ ପଏଣ୍ଟ ସହିତ ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତୀୟ ଦଳ ପାକିସ୍ତାନ, ନେଦରଲାଣ୍ଡ୍ସ ଓ ବାଂଲାଦେଶକୁ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ପରେ ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଜିତିବା ଜରୁରୀ ହୋଇ ପଡ଼ିଥିଲା। ମାତ୍ର ପେରୀ ଓ ଗାର୍ଡନରଙ୍କ ଶତକୀୟ ଭାଗୀଦାରି ଭାରତ ସମ୍ମୁଖରେ ପ୍ରାଚୀର ସଦୃଶ ଛିଡ଼ା ହୋଇଥିଲା। ପୂର୍ବରୁ ଭାରତୀୟ ଇନିଂସରେ କେବଳ ଅଧିନାୟିକା ହରମନପ୍ରୀତ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲ୍ରୁ ୫୬ ରନ କରିଥିଲେ।