ଚଳନ୍ତା ବାଇକ୍ରେ ଶାଶୁଙ୍କୁ ହତ୍ୟା, ପରିବାର ଲୋକଙ୍କୁ କହିଲେ ହାର୍ଟ ଆଟାକ୍, ମାତ୍ର ଏମିତି ରହସ୍ୟ ଖୋଲିଦେଲା ପୋଲିସ…
ହାଇଦ୍ରାବାଦ,୨୮ା୬: ତେଲଙ୍ଗାନାର କରିମନଗର ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଜ୍ୱାଇଁ ତାଙ୍କ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହାକି କି ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଏହା ପରେ ପୋଲିସ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ଘଟଣାର ପର୍ଦ୍ଦାଫାଶ କରିଛି।
ମୃତକାଙ୍କ ନାମ ଅରୁଣା ହୋଇଥିବାବେଳେ ଅଭିଯୁକ୍ତ ଜ୍ୱାଇଁଙ୍କ ନାମ ସ୍ନେହିତ(୨୮)। ସେ କବିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରିପୋର୍ଟ ଅନୁଯାୟୀ, ୨୯ ଏପ୍ରିଲରେ ସ୍ନେହିତ ତାଙ୍କ ଶାଶୁ ଅରୁଣାଙ୍କୁ ତାଙ୍କ ବାଇକ୍ ପଛରେ ବସାଇ କୌଣସି ସ୍ଥାନକୁ ନେଉଥିଲେ।
ଶାଶୁ ବାଇକ୍ ପଛରେ ବସିଥିବାବେଳେ ଜ୍ୱାଇଁ ସ୍ନେହିତ ତାଙ୍କୁ ହେଲମେଟ ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଶାଶୁ ଅରୁଣା ଭାରସାମ୍ୟ ହରାଇ ବାଇକ୍ରୁ ଖସିପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରୁଣାଙ୍କର ମୃତ୍ୟୁ ଘଟିଥିଲା।
ଏହା ପରେ ସ୍ନେହିତ ମାମଲାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ସେ ପରିବାର ଏବଂ ଅନ୍ୟମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ଏପରିକି ସେ କହିଥିଲେ ଶାଶୁଙ୍କୁ ହାର୍ଟ ଆଟାକ୍ ଆସିଲା ସେ ବାଇକ୍ରୁ ଖସିପଡ଼ିଲେ। ଏହି କଥା ଶୁଣି ପରିବାର ଲୋକଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା।
କିନ୍ତୁ ଯେତେବେଳେ ପୋଲିସ ନିକଟସ୍ଥ ସିସିଟିଭି ଯାଞ୍ଚ କଲା, ପୂରା ସତ୍ୟ ଘଟଣା ସାମ୍ନାକୁ ଆସିଲା। ଫୁଟେଜ୍ରୁ ସ୍ପଷ୍ଟ ଭାବରେ ଜଣାପଡୁଥିଲା ଯେ, ସ୍ନେହିତ ତାଙ୍କ ହେଲମେଟ୍ରେ ଜାଣିଶୁଣି ଆକ୍ରମଣ କରିଥିଲେ, ଯାହା ସ୍ପଷ୍ଟ କରିଥିଲା, ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟା।
ସତ୍ୟ ସାମ୍ନାକୁ ଆସିବା ପରେ, ଅଭିଯୁକ୍ତଙ୍କ ସ୍ତ୍ରୀ କବିତା ମଧ୍ୟ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ପୋଲିସ ଅଧିକାରୀମାନେ କହିଛନ୍ତି, ମାମଲାର ପ୍ରତ୍ୟେକ ଦିଗ ତଦନ୍ତ କରାଯାଉଛି ଏବଂ ହତ୍ୟା ପଛରେ କାରଣ କ’ଣ ତାହା ଜାଣିବାକୁ ମିଳୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।