ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ଇରାନ ରାଷ୍ଟ୍ରପତି ପଠାଇଲେ ନିମନ୍ତ୍ରଣ
ନୂଆଦିଲ୍ଲୀ,୨୪।୬: ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲା ଅଲ୍ଲୀ ଖାମେନେଇଙ୍କ ହେବାକୁ ଯାଉଛି ଅନ୍ତିମ ସଂସ୍କାର। ଏଥିରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ୍ ନିମନ୍ତ୍ରଣ କରିଛନ୍ତି। ଫେବୃଆରୀରେ ଆମେରିକା-ଇସ୍ରାଏଲ ବିମାନ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା।
ଯିବେ କି ଭାରତୀୟ ପ୍ରତିନିଧି ?
ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନି ଯେ, ଏହି ଅନ୍ତିମ ସଂସ୍କାରରେ ଭାରତ ପକ୍ଷରୁ କିଏ ପ୍ରତିନିଧିତ୍ବ କରିବେ। ଏହା ପୂର୍ବରୁ ୨୮ ଫେବୃଆରୀରେ ଖାମେନେଇଙ୍କ ନିଧନ ପରେ, ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସ ଯାଇ ଭାରତ ସରକାରଙ୍କ ପକ୍ଷରୁ ଶୋକ ପୁସ୍ତିକାରେ ହସ୍ତାକ୍ଷର କରିଥିଲେ।
ମଇ ୨୦୨୪ ରେ ଯେତେବେଳେ ହେଲିକପ୍ଟର ଦୁର୍ଘଟଣାରେ ତତ୍କାଳୀନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକ ହୋଇଥିଲା, ସେତେବେଳେ ନୂଆଦିଲ୍ଲୀ ରାଷ୍ଟ୍ରୀୟ ଶୋକ ଘୋଷଣା କରି ପତାକାକୁ ଅର୍ଦ୍ଧନମିତୁ କରିଥିଲେ। ସେତେବେଳେ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ତେହରାନକୁ ଭାରତୀୟ ପ୍ରତିନିଧି ମଣ୍ଡଳୀଙ୍କ ନେତୃତ୍ବ ନେବା ପାଇଁ ପଠାଯାଇଥିଲା।
ଅନ୍ତିମ ସଂସ୍କାରର ପୁରା କାର୍ଯ୍ୟକ୍ରମ
ସଂଘର୍ଷର କାରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଳିବା ପରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ୪ ଜୁଲାଇରୁ ଆରମ୍ଭ ହେବ। ସବୁଠାରୁ ପ୍ରଥମ ଖାମେନେଇଙ୍କ ପାର୍ଥିବ ଶରୀରକୁ ୪ ଜୁଲାଇରେ ତେହରାନର ଗ୍ରାଣ୍ଡ ମୋସଲଲା କମ୍ପଲେକ୍ସରେ ରଖାଯିବ। ଏହାପରେ ତେହରାନ ଓ କୋମ୍ ସହରରେ ସାର୍ବଜନୀନ ଶୋଭାଯାତ୍ରା ବାହାର କରାଯିବ। ଇରାକର ପବିତ୍ର ନଜଫ୍ ଓ କର୍ବଲାରେ ମଧ୍ୟ ପ୍ରାର୍ଥନା ସଭା ଆୟୋଜନ କରାଯିବ। ଶେଷରେ ୯ ଜୁଲାଇରେ ଖାମେନେଇଙ୍କ ପୈତୃକ ସହର ମଶହଦରେ ଇମାମ ରାଜା ଦରଘାରେ ତାଙ୍କୁ ଦିଆଯିବ ଅନ୍ତିମ ବିଦାୟ। ଏହି ସମୟରେ ଦୁଇ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇ ପାରନ୍ତି ବୋଲି ଆଶା କରାଯାଉଛି।
ଭାରତ ଓ ଇରାନର ସମ୍ପର୍କ
ଭାରତ ସୁବବେଳେ ଇରାନକୁ ନିଜର ବିସ୍ତାରିତ ପଡୋଶୀ ବୋଲି ଗ୍ରହଣ କରିଛି। ଯାହା ସହ ତା’ର ସଭ୍ୟତାଗତ ସମ୍ପର୍କ ରହିଛି। ପଶ୍ଚିମ ଏସିଆରେ ୪୦ ଦିନ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷ ବେଳେ ପିଏମ୍ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ନିଜ ଇରାନ ସମକକ୍ଷଙ୍କ ସହିତ ବହୁ ସ୍ତରୀର ଆଲୋଚନା କରିଛନ୍ତି। ଅସ୍ତ୍ରବିରତି ଭିତରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘାତୀ ନିକଟରେ ବ୍ରିକ୍ସରେ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିଲେ। ଏହି ସମୟରେ ସେ ବୈଦେଶିକ ମନ୍ତ୍ର ଏସ ଜୟଶଙ୍କରଙ୍କ ସହ ଦ୍ବିପାକ୍ଷିକ ବାର୍ତ୍ତୀ କରିଥିଲେ ଓ ପିଏମ୍ ମୋଦିଙ୍କୁ ସାକ୍ଷାତ କରିଥିଲେ। ନିକଟ କିଛି ମାସରେ ବହୁ ବରିଷ୍ଠ ଇରାନୀ ଅଧିକାରୀ ଭାରତ ଯାତ୍ରା କରିଛନ୍ତି, ବିଶେଷ ଭାବରେ ଦିଲ୍ଲୀ ଦ୍ବାରା ଆୟୋଜିତ ବ୍ରିକ୍ସ ବୈଠକରେ ଭାଗ ନେବାକୁ ଆସିଥିଲେ।
କେଉଁ ସବୁ ଦେଶକୁ ମିଳିଛି ନିମନ୍ତ୍ରଣ ?
ଇରାନ ନିଜର ପଡୋଶୀ ଦେଶ ଉପରେ ବିଶେଷ ଭାବରେ ଜୋର ବହୁ ଦେଶକୁ ନିମନ୍ତ୍ରଣ କରିଛି। ଇରାନ ସରକାରୀ ମିଡିଆ ଅନୁସାରେ, ବହୁ ଦେଶର ରାଷ୍ଟ୍ରମୁଖ୍ୟ କିମ୍ବା ତାଙ୍କର ପ୍ରତିନିଧି ମଣ୍ଡଳୀ ଏଥିରେ ସାମିଲ ହୋଇପାରନ୍ତି। ଏହି ରାଜକୀୟ ଅନ୍ତିମ ସଂସ୍କାରରେ ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ସିରିଆ, ଲେବାନନ୍, ରୁଷ, ଚୀନ୍ ଓ ବହୁ ମଧ୍ୟ ଏସୀୟ ଦେଶର ପ୍ରତିନିଧି ମଣ୍ଡଳୀ ପହଁଞ୍ଚିବାର ଆଶା ରହିଛି।
ଆହୁରି ପଢନ୍ତୁ :Nirav Modi: ଲଣ୍ଡନ ହାଇକୋର୍ଟରେ ନୀରବ ମୋଦିଙ୍କୁ ଶକ୍ତ ଝଟକା, ୧୦୦ କୋଟିର ମାମଲା ଜିତିଲା ବ୍ୟାଙ୍କ ଅଫ୍ ଇଣ୍ଡିଆ