ଖାଉଟିଙ୍କ ଉପରେ ପଡ଼ିଛି ମହଙ୍ଗା ପାହାର
ନନ୍ଦିଘୋଷ ବ୍ୟୁରୋ : ଖାଉଟିଙ୍କ ଉପରେ ପଡ଼ିଛି ମହଙ୍ଗା ପାହାର। ପୁଣି ବଢିଛି ଦେଶର ଖୁଚୁରା ମୁଦ୍ରାସ୍ଫୀତି। ଏହାର ପ୍ରଭାବ ପଡ଼ିଛି ବଜାର ଉପରେ। ବଢିଛି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ। ହେଲେ ଏଥର ଓଡ଼ିଶା ଜାତୀୟ ହାର ଟପିଛି। ଜାତୀୟ ହାର ୪.୮୨% ଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ପହଞ୍ଚିଛି ୫.୫୨%ରେ। ସାରା ଦେଶର ବଡ଼ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ୫ ନମ୍ବରରେ ଅଛି। ତେଲେଙ୍ଗାନା ୬.୨୭% ସହ ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ତାମିଲନାଡ଼ୁ ରହିଛି । ବଜାରରେ ଅଗଷ୍ଟ ମାସ ଅପେକ୍ଷା ସେପ୍ଟେମ୍ବର ମଝିରେ ଯଦିଓ ସ୍ଥିତି ଟିକେ ସୁଧୁରିଛି, ହେଲେ ଏବେ ବି ବଜାର ଦର ଘାଇଲା କରୁଛି। ପିଆଜ କିଲୋ ୬୦ ଥିବା ବେଳେ ଚିନି କିଲୋ ୭୦। ପରିବାରେ ବିନ କିଲୋ ୧୦୦ ଉପରେ। ତେବେ ବଜାର ଦର ବୃଦ୍ଧି ପାଇଁ ବ୍ୟବସାୟୀ ମହାସଂଘ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଛି। ବିଦେଶକୁ ଅଧିକ ଚିନି ଆମଦାନୀ ସାଙ୍ଗକୁ ରିଟେଲ ବଜାରରେ ଏଫ୍ଡ଼ିଆଇକୁ ସରକାର ଅନୁମତି ଦେଇଥିବାରୁ ଛୋଟ ଛୋଟ ବେପାରୀ କର୍ପୋରେଟ ଜଗତ ସହ ତାଳ ଦେଇ ଚାଲିପାରୁନାହାନ୍ତି। ସେଥିପାଇଁ ଦର ବଢୁଛି, ଖାଉଟି ଉପରେ ଚାପ ବି ବଢୁଛି ବୋଲି ବ୍ୟବସାୟୀ ମହାସଂଘ କହିଛି।
ଗ୍ରାମାଞ୍ଚଳରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ସାରା ଦେଶରେ ୩ ନମ୍ବରରେ ପହଞ୍ଚିଛି। ଅଗଷ୍ଟରେ ଅଦା, ପିଆଜ, ରସୁଣ ଦର ୪୩ରୁ ୭୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସୁନା, ହୀରା ଅଳଙ୍କାର ୩୫ ପ୍ରତିଶତ ବୃଦ୍ଧି ହୋଇଛି । ଅଗଷ୍ଟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ରେସ୍ତୋରାଁରେ ଖାଇବା ଖର୍ଚ୍ଚ ବି ବଢିଛି । ମୁଦ୍ରାସ୍ଫୀତି ବୃଦ୍ଧି ହେଲେ ଏହାର ପ୍ରଭାବ ଅର୍ଥନୀତି ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି । ସିଧାସଳଖ ଲୋକଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ବଜାର ଦର ବୃଦ୍ଧି ଯୋଗୁଁ ଲୋକଙ୍କ ସଞ୍ଚୟ କମୁଛି। ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଆଗକୁ ରିଜର୍ଭ ବ୍ୟାଙ୍କ ରେପା ରେଟ ବୃଦ୍ଧି କଥା ଚିନ୍ତା କରୁଥିବାରୁ ଋଣ ଦେୟ ମଧ୍ୟ ବଢିବ। ସରକାର ଏହା ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି ବିଶେଷଜ୍ଞ କହିଛନ୍ତି।
ଖୁଚୁରା ସହ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଁ ୯.୯୨%ରେ ପହଞ୍ଚିଛି। ବିଶ୍ବରେ ତୃତୀୟ ଅର୍ଥନୀତି ହେବାର ସ୍ବପ୍ନ ଦେଖୁଥିବା ଭାରତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନ କଲେ ଆଗକୁ ସ୍ଥିତି ଅଧିକ ଖରାପ ହେବାର ସମ୍ଭାବନା ରହିଛି।.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
