ଖଣ୍ଡଗିରି ହତ୍ୟା, ପୁଅ ପରେ ଆଖି ବୁଜିଲେ ବାପା

Jun 30, 2026 - 14:05
ଖଣ୍ଡଗିରି ହତ୍ୟା, ପୁଅ ପରେ ଆଖି ବୁଜିଲେ ବାପା

ଭୁବନେଶ୍ୱର : ଖଣ୍ଡଗିରି କୋଳଥିଆ ଲୋମହର୍ଷଣକାରୀ ଘଟଣା । ହତ୍ୟାକାଣ୍ଡରେ ପୁଅ ପରେ ବାପାଙ୍କ ମୃତ୍ୟୁ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଭଉଣୀର ଚିକିତ୍ସା ଜାରି ରହିଛି । ଘଟଣାରେ ୨ ନାବାଳକ ଧରାପଡ଼ିଛନ୍ତି । ଘଟଣା ସମ୍ପର୍କରେ ପଚରାଉଚରା କରୁଛି ସ୍ପେଶାଲ ସ୍କ୍ବାର୍ଡ଼ । 

ସୂଚନାନୁସାରେ, ଗଞ୍ଜାମ ସୋରଡ଼ା ଅଞ୍ଚଳର ହିମାଂଶୁ ପାଢ଼ୀଙ୍କ ପରିବାର ଖଣ୍ଡଗିରି କୋଳଥିଆରେ ଦୀର୍ଘ ୨୦ବର୍ଷ ହେବ ରହି ଆସୁଥିଲେ । ହିମାଂଶୁ ମନ୍ଦିର ପୂଜକ ଥିବାବେଳେ ଗତ ବର୍ଷ ତାଙ୍କ ପତ୍ନୀଙ୍କର ଗତବର୍ଷ ଦେହାନ୍ତ ଘଟିଥିଲା । ଘରେ କେବଳ ପୁଅ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ ଝିଅଙ୍କ ସହ ରହୁଥିଲେ ହିମାଂଶୁ ପାଢ଼ୀ । ତେବେ ଜୁନ ୨୮ତାରିଖ ରାତିରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ହିମାଂଶୁଙ୍କ ଘରେ ପଶି ବାପା, ପୁଅ ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶୋଇଥିବା ବେଳେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ବାପା ହିମାଂଶୁ ପାଢ଼ୀ ଓ ଭଉଣୀଙ୍କୁ  ଗୁରୁତର ଅବସ୍ଥାରେ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତି କରାଯାଇଥିଲା । ଡାକ୍ତରୀ ଟିମ୍‌ର ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ସକାଳେ ହିମାଂଶୁ ପାଢ଼ୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଏହି ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ତେବେ ଏହି ନାରକୀୟ କାଣ୍ଡ ପଛରେ ପ୍ରେମ ସମ୍ପର୍କ ନା ଜମିବାଡ଼ି ଗଣ୍ଡଗୋଳ ନା ନିଶା କାରବାର ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।