ଏକତରଫା ପ୍ରେମରୁ ନାବାଳିକାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଭଦ୍ରକ : ଏକ ତରଫା ପ୍ରେମରୁ କରୁଣ ପରିଣତି । ପ୍ରତିହିଂସା ପରାୟଣ ହୋଇ ନାବାଳିକାଙ୍କୁ ପେଟ୍ରୋଲ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ଭୟଙ୍କର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଫତେପୁର ଗାଁରେ । ତେବେ ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିବାବେଳେ ଅଭିଯୁକ୍ତ ପ୍ରେମିକ ହେଉଛନ୍ତି ବିବାହିତ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ଫତେପୁର ପଞ୍ଚାୟତର ଧର୍ମାଗତପୁର ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦିଲ୍ଲିପ ଜେନା (୩୨) ଦୀର୍ଘଦିନ ଧରି ଉକ୍ତ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ । ଛାତ୍ରୀ ଏଥିରେ ରାଜି ନହେବାରୁ ସୋମବାର ସକାଳେ ସେ ସ୍କୁଲକୁ ଯାଉଥିବା ବେଳେ ଲେଞ୍ଜରା ଛକ ନିକଟରେ ତାଙ୍କୁ ଅଟକାଇ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସି ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।ଘଟଣା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବିରୋଧରେ ଶିଶୁ ସୁରକ୍ଷା (POCSO) ଧାରା ଅନୁଯାୟୀ ମାମଲା ରୁଜୁ କରିଛି ଧୂଷୁରୀ ପୋଲିସ । ପଚରାଉଚରା ପରେ ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ। ଅନ୍ୟପଟେ, ଅଭିଯୁକ୍ତ ପ୍ରେମିକ ପୂର୍ବରୁ ଦୁଇଟି ବିବାହ କରିଥିବା ଜଣାପଡ଼ିଛି ।