କ୍ଷତିକାରକ ପ୍ୟାକେଜ୍ଡ ଫୁଡ
ପ୍ୟାକେଜ୍ଡ ଓ ଅଲ୍ଟ୍ରାପ୍ରୋସେସ୍ଡ ଖାଦ୍ୟର ବହୁଳ ବ୍ୟବହାର ଦ୍ୱାରା ଶରୀରରେ ପ୍ରବେଶ କରୁଥିବା ଆର୍ଟିଫିସିଆଲ୍ ଫୁଡ୍ ପ୍ରିଜରଭେଟିଭ୍ସ ଆମ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । ନିକଟରେ 'ୟୁରୋପିଆନ୍ ସୋସାଇଟି ଅଫ୍ କାର୍ଡିଓଲୋଜି'ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଅଲ୍ଟ୍ରାପ୍ରୋସେସଡ୍ ଖାଦ୍ୟରେ ବ୍ୟବହୃତ କେତେକ ପ୍ରିଜରଭେଟିଭ୍ସ ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗର ଆଶଙ୍କା ଯଥେଷ୍ଟ ବୃଦ୍ଧି କରିଥାଏ । ଫ୍ରାନ୍ସର ଏକ ସ୍ୱାସ୍ଥ୍ୟ ଅଧ୍ୟୟନରୁ ମିଳିଥିବା ୧,୧୨,୩୯୫ ଜଣ ବୟସ୍କଙ୍କ ୮ ବର୍ଷର ଡାଟାକୁ ଆଧାର କରି କରାଯାଇଥିବା ଏହି ସମୀକ୍ଷାରୁ ଅନେକ ତଥ୍ୟ ଜଣାପଡ଼ିଛି । ସୂଚନା ଅନୁସାରେ ନନ୍-ଆଣ୍ଟିଅକ୍ସିଡାଣ୍ଟ ପ୍ରିଜରଭେଟିଭ୍ସ (ଯେପରିକି ନାଇଟ୍ରାଇଟ୍, ସୋର୍ବେଟ୍, ସଲଫାଇଟ୍) ଅଧିକ ସେବନ କରୁଥିବା ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ବିପଦ ୨୯% ଏବଂ ହୃଦ୍ରୋଗର ଆଶଙ୍କା ୧୬% ଅଧିକ ରହୁଛି । ଅନ୍ୟପଟେ ଆଣ୍ଟିଅକ୍ସିଡାଣ୍ଟ ପ୍ରିଜରଭେଟିଭ୍ସ (ଯେପରିକି ସାଇଟ୍ରିକ୍ ଏସିଡ୍ ଓ ଆସ୍କୋର୍ବିକ୍ ଏସିଡ୍) ଗ୍ରହଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପର ଆଶଙ୍କା ୨୨% ଅଧିକ ଦେଖାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟକୁ ଜୀବାଣୁମୁକ୍ତ ରଖି ଏହାର ସେଲ୍ଫ ଲାଇଫ୍, ସ୍ୱାଦ ଓ ରଙ୍ଗ ବଜାୟ ରଖିବାକୁ ଏହି କେମିକାଲ୍ସ ମିଶାଯାଉଥିଲେ ବି ଏଗୁଡ଼ିକ କ୍ଷତିକାରକ ହୋଇଥାଏ । ଏହା ଶରୀରରେ ଇନ୍ଫ୍ଲାମେସନ୍ ଏବଂ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ବଢ଼ାଇ ରକ୍ତବାହୀ ନଳୀର ଭିତର ସ୍ତରକୁ କ୍ଷତିପହଞ୍ଚାନ୍ତି । ଯାହାକି କାଳକ୍ରମେ ହୃଦଘାତ, ଷ୍ଟ୍ରୋକ୍, ମୋଟାପଣ, ଟାଇପ୍-୨ ଡାଇବେଟିସ୍, ଫ୍ୟାଟି ଲିଭର୍, ପାଚନ ସମସ୍ୟା ଏବଂ କିଡ୍ନୀ ରୋଗର କାରଣ ସାଜିଥାଏ । ତେଣୁ ଖାଦ୍ୟ ତାଲିକାରୁ ଏହିଭଳି ଖାଦ୍ୟକୁ ବାଦ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।