କାଫେରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ମହିଳାଙ୍କ ସମେତ ୩ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କାଫେରେ ମହିଳାଙ୍କୁ ସହକର୍ମୀଙ୍କ ଗଣ ଦୁଷ୍କର୍ମ । ଘଟଣାରେ ୨ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଅନ୍ୟ ୩ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସୋମବାର ରାତିରେ ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଥିବା ଏକ କାଫେରେ ଏହି ଜଘନ୍ୟ କାଣ୍ଡ ଘଟିଥିବା ସୂଚନା ମିଳିଛି । ପୀଡିତାଙ୍କ ସମେତ ଅଭିଯୁକ୍ତମାନେ ମଧ୍ୟ ଉକ୍ତ କାଫେ ର କର୍ମଚାରୀ ହୋଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ସୋମବାର ରାତି ୧୧:୩୦ ରେ ପ୍ରୀତ ବିହାରର ସଲଟାନେଟ୍ କାଫେ ବନ୍ଦ ହେବା ପରେ ମଧ୍ୟ ଉକ୍ତ କାଫେଟି ଖୋଲା ଥିଲା । କାରଣ ସେଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ରାତିରେ ପୁଣି କାଫେଟି ଖୋଲା ଯାଇ ପୀଡିତା ତାଙ୍କ ସହକର୍ମୀଙ୍କ ସହ ପାର୍ଟି କରୁଥିଲେ । ମଙ୍ଗଳବାର ଭୋର ପ୍ରାୟ ୩:୩୦ ଯାଏଁ ସେଠାରେ ପାର୍ଟି ଚାଲିଥିଲା । ଏହାର କିଛି ସମୟ ପରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏଥିରେ ଅନ୍ୟ ସହକର୍ମୀମାନେ ମଧ୍ୟ ସହଯୋଗ କରିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଘଟଣା ପରେ ଯୁବତୀ ତୁରନ୍ତ ପୋଲିସର ଦ୍ୱାରସ୍ଥ ହୋଇନଥିଲେ। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜ୍ରେ ସେ ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇ ମହିଳାଙ୍କ ସହ ଏକ ଗାଡ଼ିରେ ଯାଉଥିବା ଦେଖାଯାଇଛି । ଭୋର ପ୍ରାୟ ୫ଟା ୪୫ରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।
ବର୍ତ୍ତମାନ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ବୟାନ ରେକର୍ଡ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ। କାଫେର ସିସିଟିଭି ଫୁଟେଜ୍ ସମେତ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରାଯାଉଛି। ତଦନ୍ତ ପରେ ହିଁ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
